Unknown

 

 

 

 

 

 

 

 

 

କାକଳୀ

ଗୋପାଳ ଚନ୍ଦ୍ର ମିଶ୍ର

 

ସୂଚୀପତ୍ର

 

୧.

ଜୀବନ-ବ୍ରତ

୨.

ଅଗଷ୍ଟ ପନ୍ଦର

୩.

ପଲ୍ଲିଗାଆଁଟି ମୋ ସୁନ୍ଦର

୪.

ପଥଦୂର୍ବା

୫.

ଧଉଳି ପାହାଡ଼ର ଉଦ୍‌ବୋଧନ...

୬.

ବାପୁଜୀ

୭.

ଖୋର୍ଦ୍ଧ।-ପାଇକ

୮.

ଭକ୍ତଚରଣ

୯.

କଳିଙ୍ଗ କଳା

୧୦.

କ୍ଷୁଦ୍ରର ଗୌରବ

୧୧.

ଅଶ୍ରୁର ଆହୁତି

୧୨.

ଗତ୍ୟନ୍ତର

୧୩.

ଆତ୍ମଶକ୍ତି ପରିଚୟେ ଜାଗେ ଅଭିଳାଷ

୧୪.

ପାରିବ କି?

୧୫.

ମଧୁସ୍ମୃତି

୧୬.

ବିଶ୍ୱ ଭିକ୍ଷୁକ ମାଲବୀୟଜୀ

୧୭.

ସତ୍ୟାଗ୍ରହୀ

୧୮.

କେଳା

୧୯.

ପ୍ରଜାପତି

୨୦.

ଗୋପ-ଗୌରବ

୨୧.

ସେତେବେଳେ ପଡ଼ିବ କି ମନେ

୨୨.

ସେବା ଗ୍ରାମ ଓ ଶାନ୍ତି ନିକେତନ

୨୩.

ତୁଠ ପଥର

୨୪.

ଖୁଦୀରାମ

୨୫.

କମାରଶାଳ

୨୬.

ଅଙ୍ଗନ ତୁଳସୀ

୨୭.

ଚିଲିକା ପୁଳିନେ ଗୋଟିଏ ରାତ୍ରି

୨୮.

ଶେଷ ଭିକ୍ଷା

•••

 

ଜୀବନ ବ୍ରତ

 

ମୁଁ ଯେବେ ଜନମ ପାଇଛି ଧରାରେ

ଈଶ୍ୱର ଅସୀମ କରୁଣା ବଳେ

ମୁଁ ତେବେ କାହିଁକି ନ କରିବି ସେବା

ବିଶ୍ୱବାସୀଙ୍କର ବିପୁଳ ମେଳେ

ବଣ ପରବତେ ଫୁଲଟିଏ ଫୁଟି

ଗନ୍ଧଦେଇ ସେବା କରେ ସରାଗେ

ବଣ ପରବତେ ମୃଦୁଳ ମରୁତ

ଜନହିତ ପାଇଁ ନିରତ ଜାଗେ

ପଳ ପଳ କରି ଆପଣାକୁ ଜାଳି

ଦୀପ ଯେବେ ନିତି ଆଲୋକ ଦିଏ

ଗହନ ତିମିରେ ସରଳ ପ୍ରୟାସେ

ପର ସେବାପାଇଁ ଉଜଳୁ ଥାଏ ।

ବସନ୍ତ ବିପିନେ ଦିନ ଦି’ପହରେ

ସୁଧାଗୀତ ଗାଇ କୋକିଳ କାହିଁ ।

ପଥ କ୍ଳାନ୍ତ ଦୂର ପଥିକ ପରାଣେ

ଅମୃତ ବରଷେ ପରାଣ ମୋହି ।

ଅସୀମ ଜଗତେ ସସୀମ ମୁଁ ଛାର

ତଥାପି ନିଜର ଶକତି ଢାଳି ।

ବିପୁଳ ପ୍ରେରଣା ଉଦ୍ଦୀପନା ବଳେ

ସେବା-ବହ୍ନି ହୃଦେ ଦେବଟି ଜାଳି ।

ସାରା ପ୍ରକୃତିରେ ଫୁଟି ଅଛି ପରା

ଏହି ପୂତ ସେବା ଆଦର୍ଶ ପ୍ରୀତି

ମୁଁ ତେବେ କାହିଁକି ମଣିଷ ଜନମେ

ନ ଗାଇବି ବିଶ୍ୱ ସେବାରେ ଗୀତି

ତରୁ ତାର ଧର୍ମ ରକ୍ଷା କରି ଯେତେ

କ୍ଳାନ୍ତ ପଥିକରେ ଦିଅଇ ଛାୟା

ନଦୀ ଦିଏ ଜଳ ଲତା ଦିଏ ଫୁଲ

ସୂର୍ଯ୍ୟ ଦିଏ ମଧୁ ଆଲୋକ ମାୟା

ହୁଏଁ ମୁହିଁ କ୍ଷୁଦ୍ର ହୁଏଁ ମୁହିଁ ଦୀନ

ନଥାଉ ମୋହର ସମ୍ପତ୍ତି ଧନ ।

ଅଛି କିନ୍ତୁ ମୋର ସେ ବିପୁଳ ଧନ

ତରୁଣ ବୟସ ତରୁଣ ମନ ।

ସେବା ମୁଁ କରିବି ଦୀନ ଦରିଦ୍ରର

ଲୁହ ଦେବି ପୋଛି ଆର୍ତ୍ତ ନୟନୁ ।

ପାଦେ କଣ୍ଟା ଦଳି କଣ୍ଟା ଦେବି ତୋଳି

ଦୁଃଖୀ ବାଟୋଇର କ୍ଳାନ୍ତ ଚରଣୁ

ପଡ଼ୋଶୀ କଲ୍ୟାଣେ ଆଖି ଲୁହ ଦେଇ

ଦୁର୍ବଳ ହେବି ମୁଁ ସହଯୋଗୀ

ମଣିଷ ଜନମେ ମଣିଷ ସମାଜେ

ମଣିଷ ସେବାରେ ହେବି ମୁଁ ତ୍ୟାଗୀ

ଏମୋର ସଂକଳ୍ପ ଏ ମୋର ପ୍ରତିଜ୍ଞା

ଏ ମୋର ପବିତ୍ର ଜୀବନ ବ୍ରତ

ବିଶ୍ୱବାସୀ ପଦେ ପରାଣ ଆମୋଦେ

ଦେବି ମୁଁ ଆହୁତି ସେବା ସମ୍ପଦ

ତରୁ ମୂଳେ ଯେବେ ଦିଏ ପାଣି ଢାଳି

ସେ ତରୁ କି କେବେ ଦିଅଇ ନାହିଁ

ମାଳାକାର ପ୍ରାଣ ସ୍ନେହ ବିନିମୟେ

ଅପାର ମମତା ଫୁଲ ଫୁଟାଇ

ତେସନ ମୁଁ ଯା’ର ସ୍ନେହ ମମତାରେ

ବନ୍ଧା ଚିରଦିନ ମର ଜଗତେ

ତା ପାଇଁକି କେବେ ଦେବି ନାହିଁ ମୋର

ପରାଣର ସେବା ଶକତିମତେ ?

ଏ ଜଗତ ପରା ସେବାର ମନ୍ଦିର

ଦୀନ ଦୁଃଖୀ ତହିଁ ଦେବତା ପୂତ

ସେ ମନ୍ଦିରେ ମୁହିଁ ହୋଇବି ସୁଯୋଗ୍ୟ

ପୂଜାରୀ, ଏହି ମୋର ଜୀବନ ବ୍ରତ ।

•••

 

ଅଗଷ୍ଟ ପନ୍ଦର

 

ଭାରତରଆଜି ମୁକ୍ତିଦିବସ ପୁଣ୍ୟ ତାରିଖ ଆଜି

ଏଇ ଦିବସର ଅନ୍ତରାଳେଯେ ସ୍ମୃତି ରହିଛି ସାଜି

କେତେ ଶହୀଦର ଶୋଣିତ ଆର୍ଦ୍ର କରିଲା ଭାରତ ଭୂମି

କେତେ ଜୀବନର ମାନ ଅପମାନ କାବ୍ୟ ହୋଇଲା ଜମି

କିଏ ମଲା ଏ ଖଞ୍ଜ ହୋଇଲା ପରା

ଦେଶବତ୍ସଳ ବୀର ପୁରୁଷର ସମାଧି ହୋଇଲା କାରା ।

ହିମାଳୟ ଝରା ଇଙ୍ଗୁଦୀ ତୀରା ଗଙ୍ଗାନଦୀର ତଟେ

ଆର୍ଯ୍ୟ ଋଷିର କଳ୍ପନାରାଶି ତପୋବନମାଳେ ଛୁଟେ

ତପୋବନମାଳ କୁଟୀରର ତଳେ ସଂଯମ ପ୍ରାଣାୟାମ

ଭାରତ ଜୀବନ କରିଥିଲା ଯାହା ସଂଯତ ଅଭିରାମ

ଜୈନ ବୀରର ହିଂସାର ନିନ୍ଦା ଗାଳି

ବୁଦ୍ଧଦେବର ନିର୍ବାଣ ନବ ସଂଘ ଶ୍ରମଣ ଝଳି ।

ଏହି ଭାରତରେ ଖେଳି ଯାଇଥିଲା ଆର୍ଯ୍ୟ ଜୀବନ ଢେଉ

ଡାରିଏସ ଡର ମାନି ନାହିଁ ଥିଲା ଏ ଦେଶର ବୀରବାହୁ

ମଗଧର ପଥ ଉଲ୍ଲାସ ପାଏ ଅଶୋକ ଶାସନ ମନ୍ତ୍ରେ

ହୁନ ଶକ କେତେଚଢାଉ କଲେଯେ ଅଶୋକ ଶାସନ ତନ୍ତ୍ରେ

ଭାଇ ପୁଣି ଭାଇ ଗଳାରେ ଖଡ଼୍‌ଗ ଦେଇ

ଏ ଦେଶରେ ଦିନେ ଅରାଜକତା ଯେ ଲୋଡ଼ି ଆଣିଥିଲା ଭାଇ ।

ଏ ଦେଶରେ ପରା ବାହାରିଲେ କେତେ ଶିଖି ମନାଇରଦଳ

ଜୟଚନ୍ଦ୍ରର ଭାଇପ୍ରତି ସେ ଯେ ନିଷ୍ଠୁର ବ୍ୟବହାର

ସାଗର ସେପାରୁ ଡାକି ଆଣିଥିଲେ ମହମ୍ମଦ ଘୋରୀଗଣ

ପୃଥ୍ୱୀରାଜର ଜୀବନ ହରା ସେ ବୁକୁଫଟା ବୀର ପଣ

ପୃଥ୍ୱୀରାଜରଛାତି ଫାଟିଥିଲା ଦୁଃଖେ

ଭାରତର ପୁଅ କାଳିମା ଚୋଳଇ ଭାରତ ଜନନୀ ମୁଖେ ।

ପଠାଣ ରାଜୁତି ପଣ୍ଡ ହୋଇଲା ମୋଗଲ ଯୁଦ୍ଧ ସାଜି

ତିମୁରରେ ଢଡ଼ି ଭାରତ ରାଜ୍ୟେ ଚଳାଇଥିଲେ ଯେ ବାଜୀ

ମମତାଜ ପ୍ରେମ, ଆକବରଙ୍କର ମହତ ପଣିଆ ନୀତି

ପ୍ରତାପ ସିଂହର ବିଶ୍ୱବିଜୟୀ ଦୁର୍ଦ୍ଦମ ଲୁହା ଛାତି

ସନାତନ ଏଇ ହିନ୍ଦୁ ଧର୍ମର ବିନାଶ ସାଧିବା ପାଇଁ

ସମ୍ରାଟ କେହି ଜିଜିଆ ବସାଏ ଆଲାହାର ଗୀତ ଗାଇ

ଜାଗଇ ଭାରତ ଶିବାଜୀ ଧମନୀଜାଗି

ଅତ୍ୟାଚାରିତ ଜୀବନୁ କଳୁଷ ଥରେ ପୋଛି ଦେବାଲାଗି ।

ମହାରାଷ୍ଟ୍ରର ମରହଟ୍ଟା ବୀରେ କପଟେ ଛିନ୍ନେ କରି

ବଙ୍ଗ ସାଗରେ ଇଂରେଜ ଭସାଏ ଧନ ସମ୍ପଦର ତରୀ

ଗୁଜରାତି ଅଳା-ଇଚ ପ୍ରିୟଜାତି ଭାରତ ବଜାରେ ପଶି

ଏ ଦେଶ ଅର୍ଥ ଲୁଟି କରିବାକୁଧରେ ହତିଆର ଅସି

ବ୍ୟବସାୟ କରି ସିଂହାସନରେ ବସି

ଗୋରାଜାତି ଭାଇ ଗଙ୍ଗା ଫସଲ ସେଦିନୁ ନେଲା ରେ ଶୋଷି ।

ସେଇ ଦିନୁ ଏଇ ଜାତିର ମୁକ୍ତି ସମରେ କେତେ ଯେ ବୀର

ଆହୁତି ହୋଇଲେ ଜଳି ଉଠିଥିଲା ଜାଲିୟାନାର ଧାର

ଅପମାନ ହେଲା ଏ ଜାତି ଚିହ୍ନ ଇଂରେଜ ପଦତଳିଆ

ଏ ଜାତିରେ ପୁଣି ଶିଖି ମନାଇର ଘଟିଗଲା କେତେ କଜିଆ

ସପାହୀ ବିଦ୍ରୋହୁଁ ସତ୍ୟାଗ୍ରହର ପଥେ

ଭାରତ ଚାଲଇ ବାପୁଜୀ ପ୍ରାଣର ସୁଧା ନିର୍ଦ୍ଦେଶ ମତେ ।

ଅରଟ ପ୍ରଚାର ଅହିଂସା ପ୍ରସାର ପ୍ରାଣ ଶୁଦ୍ଧି ଡାକ

କାରାଗାର ଆଦି ଫାଶୀର ଦଣ୍ଡ ଅନଶନ ଅଭିଷେକ

କେତେ ଦିନର ସେ ମନେପଡେ ଆଜି ଲବଣ ଆନ୍ଦୋଳନ

ଊଣେଇଶି ବୟାଳିଶ ସଂକଳ୍ପ-କାରାର ନିମନ୍ତ୍ରଣ

ଶେଷେ ଆଜି ଏଇ ପନ୍ଦର ତାରିଖଟି

ଭାରତ ଭୂମିରୁ ଗୋରା ଶାସନର ଚକ୍ରାନ୍ତ ଯାଏ ହଟି

ପରାଧୀନତାର ଶର୍ବରୀ ପରେ ଆଜି

ମୁକ୍ତିର ରବି ଉଦୟ ଅଚଳେ ହସେ ଫାଲଗୁନୀ ସାଜୀ ।

କର ହେ ଅଭ୍ୟର୍ଥନା

ସ୍ୱାଧୀନ ଭାରତ ସ୍ୱାଧୀନ ଦେଶର ତରୁଣ ଆର୍ଯ୍ୟ ସେନା

•••

 

ପଲ୍ଲି ଗାଆଁଟି ମୋ ସୁନ୍ଦର

 

କୁଳୁକୁଳୁ କରି ବାଲି ଶେଯ ପରେ

ମଲାଗୁଣୀ ନଈ ବହଇ

ଗାଆଁଟି ମୋହର ସେହି ନଈ କୂଲେ

ସୁନା ଫସଲରେ ହସଇ

ପକ୍ଷୀ ଉଚ୍ଛୁଳାଏ କନ୍ଦର

ଗାଁଆଟି ମୋହର ସୁନ୍ଦର ।

ସେହି ଗାଁ ମାଟି ଏନ୍ତୁଡ଼ି ଶାଳଟି

ସେହି ମାଟି ଶେଷ ଶ୍ମଶାନ

ନୀଳ ଆକାଶର ତଳେ କି ହାଲୁକା

ମିଠା ତାର ପାଣି-ପବନ

ପାଣି ଢାଳିଦିଏ ଇନ୍ଦର

ଗାଆଁଟି ମୋହର ସୁନ୍ଦର ।

ଝର ପାଣି ତାର ରକତ କରଇ

ଫଳ ତାର ରସ ଦିହର

ନୀଳ ଘାସପଦା ଶାଗୁଆ କିଆରୀ

ସପନଟି କବି ପ୍ରାଣର

ରାଶି କାଉଁରିଆ ପଦର

ଗାଆଁଟି ମୋହର ସୁନ୍ଦର ।

ବାରମାସ ଧରି ନୂଆ ନୂଆ କ୍ଷେତ

ଫୁଟି ଉଠେ ଗାଁ ଓଠରେ

ଫଗୁଣ ଫୁଟିଲେ ବଉଳ ପେନ୍ଥାରେ

ମହୁ ଭରେ ଫୁଲ ଅଧରେ

ଫୁଟେ କନିଅର ମନ୍ଦାର

ଗାଆଁଟି ମୋହର ସୁନ୍ଦର ।

ଗାଆଁବାଡ଼ି ତଳେ ବହୁଥିବା ନଈ

କୂଳ ନାଗେଶ୍ୱର ଗଛରେ

ସୁଲସୁଲ ବାଆ ଭରା ପାହାନ୍ତାରେ

ଭଅଁର ଚୁମଇ କଢ଼ରେ

ଦକ୍ଷିଣ ବାଆର ହୁନ୍ଦର

ଗାଆଁଟି ମୋହର ସୁନ୍ଦର ।

ମହୁଲ ବଣରେ ଆଷାଢ ଦିବସେ

ଗାଉଥାଏ ବନ ମୟୁର

ବାଲି ତଳେ ମିଶି ମିଶି ଯାଏ

ଦୂର ବାଟୋଇର ପୟର

ଶିରୀଷ ଫୁଲ କି ସୁନ୍ଦର

ଗାଆଁଟି ମୋହର ସୁନ୍ଦର ।

ସାତଘର ଭାଙ୍ଗି ଏକଘର କଲେ

ମକଦମ ବୁଢ଼ା ବିଶୋଇ

ଝଡ଼ି ବରଷାରେ ଦୁଆରେ ଦୁଆରେ

ସିଆଦା ଦିଅନ୍ତେ ବସାଇ

ପଥର କି ତାଙ୍କ ଅନ୍ତର

ଗାଆଁଟି ମୋହର ସୁନ୍ଦର ।

ପ୍ରେତ ପାଣି ପିଇ ଶୋଳକଟି ପଢ଼ି

ଥିଲେଟି ବିଦିଆ ତିଆଡ଼ି

ରସୁଣର କଣ୍ଠି ମାଳ ପିନ୍ଧି ପରା

ଆଖଡ଼ା କରଇ ଛକଡ଼ି

କି ଲୋଭ ସପନି ନନ୍ଦର

ଗାଆଁଟି ମୋହର ସୁନ୍ଦର ।

କିଏ ସେ ମରିବ କିଏ ସେ ଛିଡ଼ିବ

କହିଥିବ ବୁଢ଼ା ନାହାକ

ଅଧ ପଇସାର ଜଡ଼ା ତେଲ ପାଇଁ

ଗୋପୀ ସାଉର ଯେ ଦିମାକ

ଟଭୀନାନି ଗାଁ ଇନ୍ଦର

ଗାଆଁଟି ମୋହର ସୁନ୍ଦର ।

କୁକୁଡ଼ା ଝୋଳରେ ଖାସି ମାଉଁସରେ

ବୁଡ଼ି ରହିଥିବେ କରଣେ

ଚରଣ ଚୁଟିଆ ବାସୁକି ଗୋହିଆ

କଳି କରେ ତୁଚ୍ଛା କାରଣେ

କରେ କାଟପାଣି ମନ୍ତର

ଗାଆଁଟି ମୋହର ସୁନ୍ଦର ।

ପେଟ ବିକଳରେ କିଏ ଧାଇଁଗଲା

କଲିକତା ଖୋଜି ପାଇଟି

ଚାଷ ଉଜୁଡ଼ିଲା ହଳ ଗଲା ଭାଜି

ମଶାଣି ହୋଇଲା ଗାଆଁଟି

ଲୁହା ହେଲା ଏକା ଅସର

ଗାଆଁଟି ମୋହର ସୁନ୍ଦର ।

ଯାହାହେଉ ପଚ୍ଛେ ସେହି ମୋର ଗାଆଁ

ଜନମିଥିଲି ମୁଁ ତା କୋଳେ

ବୁଲୁଛି ମୁଁ ତାର ଗିରି ବନମାଳେ

ଦୂର ଆମ୍ବତୋଟା ଗହଳେ

କଇଁ ଚାହିଁଥାଏ ଚନ୍ଦର

ଗାଁଆଟି ମୋହର ସୁନ୍ଦର ।

ଥରେ ହେଲେ ତାର ସୂତ ପାଦ ତଳେ

ଦିଅନ୍ତି ମୋ ଶିର ନୁଆଇଁ

ତାର ପଦ ଧୂଳି ଦେହେ ବୋଳି ହୋଇ

ଦିଅନ୍ତି କି ଶିରେ ଛୁଆଁଇ

ସେହି ମୋର ମାଆ ଉଦାର

ଗାଆଁଟି ମୋହର ସୁନ୍ଦର ।

•••

 

ପଥଦୂର୍ବା

 

ସୁବିସ୍ତୃତ ରାଜପଥ–ସେ ପଥେ ମୁଁ ଘାସ;

ହୃଦେ ମୋର ଜିତେନ୍ଦ୍ରିୟ ଜୀବନ–ଉଚ୍ଛ୍ୱାସ;

କ୍ଷୁଦ୍ର ମୋର ତନୁ ଭରି ଉଠେ କି ମୂର୍ଚ୍ଚ୍ଥନା ?

ଦୂର୍ବା ମୁହିଁ ସର୍ଜନାର ଆଦିମ ଚେତନା–

ଅଭିମାନ ଅପମାନ ଘୃଣା ଲଜ୍ଜା ଭାରେ

ଯୁଗେ ଯୁଗେ ଶୂନ୍ୟ ହାତେ ଉଭା ବିଶ୍ୱ ଦ୍ୱାରେ;

ବକ୍ଷେ ମୋର ଶିଶିରର ଯୁଗ୍ମେ ଶ୍ୱେତ କଣା,

ଓଷ୍ଠେ କ୍ଷୀଣ ହାସ୍ୟରେଖା ବିପୁଳ ପ୍ରେରଣା ।

ଦେଖିଛି ମୁଁ ସୃଷ୍ଟି ନାମେ ସହରର ଲୀଳା

ପ୍ରଗିତି ପ୍ରକାଶେ ପୂର୍ଣ୍ଣ କ୍ଷୟର ଶୃଙ୍ଖଳା;

ଜ୍ୟୋତ୍ସାଧୌତ ନିଶା ଲଗ୍ନେ ଶିଶିର ସ୍ନାହାନେ

ଶୁଣିଛି ମୁଁ ଚକୋରର ଅଶ୍ରୁଗାଥା ବନେ;

ସେନାପତି କାହିଁ ତୂର୍ଯ୍ୟ ବଜାଇ ସଘନେ

ଚଳେ ଜୟ ଧ୍ୱଜା ଉଚ୍ଚେ ଉଡ଼ାଇ ଗଗନେ;

ଦେଖିଛି ମୁଁ ପ୍ରେମିକର ଆତ୍ମଦାନ ରୀତି

ପୁତ୍ରଲାଗି ଜନନୀର ଅସରନ୍ତି ପ୍ରୀତି;

ସବୁ ଦେଖେ ମୁହିଁ ଏହି ପଥ ଧାରେ ବସି,

ସୀମାହୀନ ସ୍ୱପନର ସ୍ରୋତେ ଭାସି ଭାସି ।

•••

 

ଧଉଳି ପାହାଡ଼ର ଉଦ୍‌ବୋଧନ

 

ଦେଖି ମୋ ନୀରସ ଜଳ ବଦନ

 

ବିଶାଦ ମଳିନ ଶିଖର ଛବି

ତୁମ କବି ପ୍ରାଣ ଅତୀତେ ସୁମରି

 

ମହା ଦୁଃଖେ କାହିଁ ପଡ଼ିଲା ଦ୍ରବି ?

ପଚାରିଛି ମୋତେ ଅବସାଦ ଚିତ୍ତେ

 

ଧଉଳି ପାହାଡ଼ ଟେକ ହେ ଶିର

କହ କାହିଁଗଲେ ଅଶୋକ ରାଜନ

 

କାହିଁ ଗଲେ ତବ କଳିଙ୍ଗ ବୀର ।

କି କଥା କହିବି ଆହେ ଭୋଳା କବି

 

ଫାଟି ଯାଉଛି ମୋ ପାଷାଣ ଛାତି

ଦେଖି ସେ କଳିଙ୍ଗ ଆଜି ଭାଗ ଭାଗ

 

ଦେଖି ଏ ଦୁର୍ଦ୍ଦିନ କରାଳ ରାତି ।

କିବା ପ୍ରୟୋଜନ ଅଛି କି କାରଣ

 

କାହିଁ ସେ ଅତୀତ ବିଭବ କଥା;

ଦେଖୁଛ ତ ତୁମେ କୋଣାର୍କ କୀରତି

 

ସଇକତ ଶେଯେ ନୁଆଁ ଏ ମଥା ।

ଆସିଲେ ସେ ଦିନ ଅଶୋକ ରାଜନ

 

ଥରିଲା ସଘନେ କଳିଙ୍ଗ ଭୂମି

ମେଘାସନ ଶିଖୁ ମହେନ୍ଦ୍ର ଶଇଳ

 

କଂପିଲା ଉଠିଲେ ସ୍ୱଦେଶ ପ୍ରେମୀ ।

ଗରଜନ କରି ଚିଲିକା ଲହରୀ

 

ଦଇଆ ଗରଭେ ତୋଳିଲା ତାନ

ବୀରମଦେ ପରା ଶ୍ରୀଫଳ କାନନ

 

ଦେଲେ ପ୍ରତିଧ୍ୱନି ହୋଇ ପ୍ରସନ୍ନ ।

ମୂକ ଶଇଳ ମୁଁ ବିଷାଦ ଆକୁଳେ

 

ଦେଖି ସେ ସମର ଭୀଷଣ ଛାୟା

କାନ୍ଦି ଲୋଟିଲି ମୁଁ ଅଶୋକ ଚରଣେ

 

କହି ‘‘ବନ୍ଦକର ରାଜା ଏ ମାୟା’’ ।

ଧୂମକେତୁ ସମ ଯେ ଚଣ୍ଡ ଅଶୋକ

 

ତାଂକୁ ଦେଲା ଶିକ୍ଷା ଏ ଯେଉଁ ଜାତି

କାହିଁଗଲା ତାର ଅତୀତ ସଂଭାର

 

କାହିଁ ତାର ଭାଗ୍ୟ ତପନ ଦ୍ୟୁତି ?

ଅଛି ମୁହିଁ ଆଜି ବହେ ପଦତଳେ

 

ଦଇଆ ତରଳ କନକ ଧାରେ

ଶୋଭଇ ଚିଲିକା ଚିତ୍ର ଆଲେଖିକା,

 

ଗଉରବ ଭରେ ମହେନ୍ଦ୍ରମାଳେ ।

ଶୁଣ ତେବେ କବି ପଚାରିଲ ଯାହା

 

କାହିଁ ସେହି ଜାତି କାହିଁ ସେ ବୀର ?

କାହିଁ ତାର ଶିଳ୍ପ କଳା ସୁମୋହନ

 

ଦ୍ୱୀପ ଦ୍ୱୀପାନ୍ତରେ ପଣ୍ୟ ବେଭାର ?

ନାହିଁ ନାହିଁ କବି ଲିଭି ନାହିଁ ଏବେ

 

ସେ ବୀର ଭୂମିର ଗୌରବ ଛବି

ଚିରଦିନ ଲାଗି ତା ବୀର ଜୀବନ

 

ବ୍ୟାକୁଳେ ହତାଶେ ପଡ଼ିନି ଦ୍ରବି ।

ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

 

ବିଭାବରୀ ଶେଷେ ହସେ ତପନ

ଭାଗ୍ୟଚକ୍ର ଆବର୍ତ୍ତନେ ସିନା ବିଶ୍ୱେ

 

ଲାଗିଛି ଉତ୍ଥାନ ପୁଣି ପତନ ।

କାନ୍ଦିଲେ କି ହେବ ଦୁଃଖ ଅବସାଦେ

 

ଅଶ୍ରୁ ଅନୁତାପ ସଲିଳେ ଭାସି

ଅତୀତ ଉଜ୍ୱଳ ଭବିଷ୍ୟତ ତୁଂଗ

 

ଉଠ ଏବେ ତେବେ ଜଡ଼ତା ନାଶି ।

ଯେ କଳିଙ୍ଗ ରବି ବୁଡ଼ିଛି ଆକାଶେ

 

ଯେ ଧରମା ଦେଶ ବିଷାଦଭରେ

ଫେରିବ ସେ ରବି ଏ ରଜନୀ ଶେଷେ

 

ଉଠ ଉତ୍କଳୀୟ ଉଠ ହେ ଥରେ ।

ଖଣ୍ଡଗିରି ଖୋଲ ଖଣ୍ଡ କରି ଦେଖ

 

ଖଣ୍ଡ ଖଣ୍ଡ ବର ମୋହନ ଶିଳା

ଅଚେତ-ପାଷାଣ ସତେ କି ରସାଣ

 

ଲଭି କାରିଗର ଲିହଣ ଲୀଳା ।

ରୁକ୍ଷ ଶିଳାପରେ କି ମନ୍ତ୍ର ଯୋଗରେ

 

ଫୁଟି ଫୁଟି ଉଠେ ପଦ୍ମପାଖୁଡ଼ା

ନାକନାଗରୀ ସେ ବସି କି ବିଳାସେ

 

ଶରମେ ସଜାଏ କୁସୁମ ଜୁଡ଼ା ।

ଏହି ତ ତୋ ଦେଶ ଚମକ କାହାଣୀ

 

ଯୁଗ ଯଗ ଭରି ଶକତି ଢାଳେ

କୋଟି ଜନ ମନ କରି ଛନ ଛନ

 

ସ୍ୱଦେଶ-ପୀରତି-ପ୍ରଦୀପ ଜାଳେ ।

କଳାସରୋବର-କ୍ରମ-କୋକନଦ

 

ଜଗତ ଆନନ୍ଦ ଏ କୋଣାର୍କ

ତୁଙ୍ଗ ଲିଙ୍ଗରାଜ ଭୂବନ ବିଦିତ

 

ନୀଳ ନୀଳାଚଳ ପାପୀପାବକ ।

ଭାବୁଛି କି କବି ଧଉଳି ପାହାଡ଼

 

ଶୁକ ସମ ଗାଥା କରେ ଗାୟନ

ନୁହେଁ ନୁହେଁ ତାହା ଅତୀତଟି ଯାହା

 

ସେ କଥା ସ୍ମରଣେ ଜାଗେ ସ୍ଫନ୍ଦନ ।

ପତିତ ଜାତିର ଅତୀତ ସମ୍ବଳ

 

ଭବିଷ୍ୟତ ସିନା ସ୍ୱାନ୍ତନାମୟ

ସେ ଦିନରେ ଯଶ ଆଜିର ସପନ

 

ଅବସାଦ-ମନ କରେ ତନ୍ମୟ ।

କେରଳ ମହିଲେ ଓଡ଼ିଆ ବାହିନୀ

 

ଚଳିଲେ ସେ ଦିନ ପତାକା ତୋଳି

ବିଜୟ ନଗର ବିଜିତ ହେଲା ଯା

 

ଗଉଡ଼ ଭୂବନ ଦେଲେ କି ଦଳି ।

ନିଜାମ ଭୂବନ ଭଜିଲା ପତନ

 

ଓଡ଼ିଆ ସେନାରେ ପଦ ସରଣେ

କଳିବର୍ଗାର କରାଳ ଖଡ଼୍ଗ

 

କି ଲାଗି ସେ ଦିନ ଲୋଟିଲା ଶେଷେ ।

ଉଠ ଉଠ ଜାତି ବିଞ୍ଛହେ ଆଲୋକ

 

ବାଣ୍ଟି ବୁଲ ତବ ମହାପ୍ରସାଦ

ବିଛାଇ ଦିଅ ହେ ମୁଲକେ ପୁଲକ

 

ଭୁଲ ଭୁଲ ଶତ ବାଦ ବିବାଦ ।

ଏ ଭୂମିରେ ପରା ନାଚିଲେ ନାନକ

 

ଶଂକର ଚେତନା ଗଲେ ଶୁଣାଇ

ଚଇତନ୍ୟ ପରା ଚେତନା ଲଭିଲେ

 

ନୀଳାଚଳ ପଥ ପରଶ ପାଇ ।

ବୁଦ୍ଧ ଆସିଲେ ଏ ଦେଶେ କାହିଁକି

 

ଜଉଗଡ଼ ତାର ଜବାବ ଦିଏ

ବିଶ୍ୱର ଯେତେ ସ୍ରଷ୍ଟା ସାଧକ

 

ଏ ଦେଶେ ଆସିଲେ ସିଦ୍ଧି ପାଏ ।

ମୁକତି ପ୍ରଗତି ତୀର୍ଥ ସମାନ

 

ଲହରୀ ଚପଳ ଚିଲିକା ତୀର

କହେ ମନେ ମନେ ରକ୍ତବାହୁ ସମ

 

ଅଇରି ମରଣ ଏ ଦେଶେ ସ୍ଥିର ।

ଶତମୁଖ ହୋଇ ଇତିହାସ କହେ

 

କହେ ଗିରିବନ ତଟିନୀ ନିତି

ନୀଳାଚଳ ବେଳା ଘୋଷ ନିରବଧି

 

ମରିପାରେ ନାହିଁ ଓଡ଼ିଆ ଜାତି ।

ମହୀରୁହ ଯେବେ ପଡ଼େ ଟଳି କେବେ,

 

ଥାଏ ଚଉଦିଗେ ମାଟି ଗରଭେ

ଶତବୀଜ ତାର ଫୁଟିବା ପାଇଁକି

 

କାଳ ଅବସରେ ପୂରୁବ ଦମ୍ଭେ ।

ଚଣ୍ଡ କରେ ଯେବେ ଜଳେ ଶ୍ୟାମଧରା

 

ଆଶା କି ନ ଥାଏ ଆଷାଢ଼ ସୁଖ

ବରଷେ ଜଳଦ ବହେ ମଉସୁମୀ

 

ଶ୍ୟାମମୟ ପୁଣି ଧରଣୀ ମୁଖ ।

ଏହି କି ଓଡ଼ିଆ ଶୁଣିବ ନାହିଁ ହେ

 

ଶୁଣିବ ନାହିଁ କି ସାଗର ଯାତ୍ରୀ

ଡାକେ କୋଣାରକ ଡାକେ ମହୋଦଧି

 

ଫଟି ଉଠେ ଉଷା-ନିଶେଷ ରାତ୍ରି ।

କି ହେଲା ମିଶର ଗ୍ରୀକ ଜୀବନ

 

ଆଥେନସ ସମ ଉନ୍ନତ ଦେଶ

କି ହେଲା ଭାରତ କୀରତି ମହତ

 

ଗୁଣ ନାହିଁ ଯାଇ ରହିଛି ବେଶ ।

ନିୟତି ନିୟମେ ଜୀବନ ପୁଳିନେ

 

ଜୁଆର ଭଟା ଯେ ଘଟିବା ସତ

ନିୟତି ବୋଲ କି ଅବହେଳା କରି

 

ପାଳିବ ଜୀବନେ ମଉନବ୍ରତ ।

ମୂକ ପାହାଡ଼ ମୁଁ ବଉଦ୍ଧ ଯୁଗର

 

ଭାଗବତ ଗାଥା ପଡ଼େ ମୋ ମନେ

ଯଦୁପତି ଯେବେ କହିଲେ ଅର୍ଜୁନେ

 

କରମ କେବଳ ଶ୍ରେୟ ଜୀବନେ ।

ତରୁଣ ତୁମେ ଯେ ଅରୁଣ ସମାନ

 

ଅନାଗତ ଯୁଗ ଆଶା ଭରସା

ତୁମରି ସେବନେ ସାଧନେ ସପନେ

 

ତୁଟିବ ଅଚିରେ ଏ ଜାତି ଦଶା ।

ଦେଖ ଦେଖ ଏବେ କି ଆଶା ଆଦରେ

 

ଯଯାତି ଅନଙ୍ଗ ଧରମା ପ୍ରେତ

ଭୀମ ଶମଶାନୁ ଡାକନ୍ତି ଆକୁଳେ

 

ଲୁହ ଆଉ କୋହି କି ଅଭିପ୍ରତ ।

ହାହା କାର କରି ଗଙ୍ଗା ଗୋଦାବରୀ

 

ସୀମା ଭରି ଡାକେ ପୁରୁଷୋତ୍ତମ

ଆସରେ ସଇନ ଆସ ସରଦାର

 

ଚାଲ ଅଭିଯାନ ବଜ୍ର ସମ ।

ତୋଳା ହେବ ପରା କୋଣାରକ ପୁଣି

 

ଗଜପତି ଯିବେ ସମର କରି

ଫେରିବ ସେ ଦିନ ଫେରିବେ ସଇନ

 

ଫେରିବ ସାଧବ ମୁକୁତା ଧରି ।

ଅଛି ସେ ଧଉଳି ପାହାଡ଼ ଅଦ୍ୟାପି

 

ଦଇଆ ବହେ ତା ଶ୍ୟାମଳ କୋଳେ

ନୀଳଗିରି ଶ୍ରେଣୀ ନୀଳ ନୀର ବେଣୀ

 

ସହକାର ଶାଖା ସମୀରେ ଦୋଳେ ।

ସେ ଗିରି ଚରଣେ ଠିଆ ରହି ଯାତ୍ରୀ

 

ଉତ୍କଳ ଗୌରବ ପୁଲକଭରେ

ଧଉଳି ଯେ ନିତି ନୀରବେ ଡାକଇ

 

ବାଜେନି କି ତୁମ ପରାଣ ତଳେ ।

•••

 

ବାପୁଜୀ

 

ତୁମ ସତ୍ୟ ଅହିଂସା ସଂକଳ୍ପ

 

ତୁମ ସତ୍ୟ ଅହିଂସା ଉପାୟ

 

ନୂଆ କରି ବିଦ୍ରୋହୀ ଭାରତେ

 

ଗଢ଼ିଦେଲା ସ୍ୱାଧୀନ ନିର୍ଭୟ

।୧।

ତୁମର ସେ ଚିତ୍ତ ସତ୍ୟାଗ୍ରହ

 

ତୁମର ସେ ସତ୍ୟ ଆନ୍ଦୋଳନ

 

ତୁମର ସେ ହରିଜନ ସେବା

 

ସତ୍ୟ ପାଇଁ ଦୀର୍ଘ ଅନଶନ

।୨।

ଆଜି ଚାଲେ ପୁର ପଲ୍ଲୀ ପୁରେ

 

ପ୍ରାଣପ୍ରିୟ ଅରଟ ତୁମ୍ଭର

 

ମନେ ପଡ଼େ ଗ୍ରାମ ସଂଗଠନ

 

ଲଭୁଥିଲା ଯା ତୁମ୍ଭ ଆଦର

।୩।

ମଣିଷ ତ ଥିଲ ତୁମେ ସତ

 

ମଣିଷରୁ ହୋଇଲ ଦେବତା

 

ଦୁର୍ଦ୍ଦିନରେ ଗଢ଼ିଅଛ ଯେବେ

 

ଭାରତର ଶାଶ୍ୱତ ସଭ୍ୟତା

।୪।

ଆଜିଠାରୁ ଶହେ ବର୍ଷ ପରେ

 

ତୁମେ ପୁଣି ଆସିବ ଧରଣୀ

 

ଚିରଦିନ ଭ୍ରାନ୍ତ ପଥିକରେ

 

ସ୍ନେହ ଦେବ ଦେଖାଇ ସରଣୀ

।୫।

•••

 

ଖୋର୍ଦ୍ଧା-ପାଇକ

 

ବରୁଣେଇ ବନ ମୃତ୍ତିକା ଧରି ସ୍ୱୀକାର କଲା ଖୋର୍ଦ୍ଧାବୀର

ଉତ୍କଳ ଗଜପତିର ଆଦେଶ ‘‘ବଞ୍ଚ ବା ମର ସତ୍ୟ ଗୀର’’

ଦେଶ ମଙ୍ଗଳ ଲାଗି ହେ ପାଇକ ଜଳାଅ ଆତ୍ମା-ଚିତା

ସେହିଦିନୁ ପରା ଉତ୍କଳମାତା ସଂସାରେ ପରିଚିତା ।

ଏହି ସେ ଖୋର୍ଦ୍ଧା ଖଣ୍ଡାକୁଶଳ ଖଣ୍ଡାୟତର ଜନ୍ମ ଭୂମି

ଦିଗେ ଦିଗେ ହସେ ପ୍ରାନ୍ତର ବିଲ ହସେ ବରୁଣେଇ ଶୂନ୍ୟ ଚୁମି

କଳ କଳ କରେ ବରୁଣେଇ ଝର କଲ୍ଲୋଳ ତୋଳି

ଏହି ସେ ପାଇକ ସମରସ୍ୱପ୍ନେ ହୁଅଇ ବିଭୂତି ବୋଳି

ବରୁଣେଇ ବନ ମୃତ୍ତିକାଧରି ଶପଥ କରିଲା ଖୋର୍ଦ୍ଧା ବୀର

କରେ କରବାଳ ଢାଲ ତଲୁଆର ଶାଣିତ ବର୍ଚ୍ଛା ତୀର

‘‘ମା’’ ବରୁଣେଇ ‘ବିଜୟ ନଗର’ ଅଚିରେ ବିଜୟ କରି

ଫେରିବୁ ମୁଲକେ ବିଜୟା ପୁଲକେ ସୈନ୍ୟସାଗର ଧରି’’ ।

ବାଜି ଉଠେ କାହିଁ ସମର ଶିଙ୍ଗା କମ୍ପେ ଖୋରଧା କୁଞ୍ଜମାଳ

ବରୁଣେଇ ଦେହେ ଜଳି ଉଠେ ପୁଣି ପୁଲକେ ପଲକେ ଯୁଦ୍ଧାନଳ

ପରିଡ଼ା ପ୍ରଧାନ ରଣସିଂହ ଆଦି ଦୁର୍ଗେ ନିମିଷେ ହୋଇଲେ ଠୁଳ

ପାଇକ ପୁଅର ଶିହରି ଉଠିଲା ବଂଶ ରକ୍ତ-ଧମନୀ ମୂଳ ।

ଏହି ସେ ଖୋର୍ଦ୍ଧା ପାଲଟା ସିଂହ ସାମନ୍ତରା ଆଦି କ୍ଷତ୍ରି ଜନ

ପୃଥିକୁ ଦଳି ଗୌରବେ ଯେହୁ ଉତ୍କଳ କଲେ ପୂର୍ଣ୍ଣ,

ମନେ ଅଛି ଏବେ ଇତିହାସ କହେ ବୀର ପ୍ରସବିନୀ ଖୋର୍ଦ୍ଧା ମାଟି

ଯଶସ୍ୱୀ ଏହାର ଶୂର-ସନ୍ତାନ ଯୁଗେ ଯୁଗେ ଖାଏ ଜାଗିରି ବାଟି ।

ଏଇ ବରୁଣେଇ ଶଇଳ ଚରଣେ ପାନ୍ଥା ଯେ ଦେଖେ ନିତ୍ୟ ବସି

ଗଦା ଗଦା ମାଟି ଜୀର୍ଣ୍ଣ ପ୍ରସାଦ ଧରଣୀ ଗର୍ଭେ ପଡ଼ିଛି ଖସି

ଦେଖି ଏଡ଼େ ବଡ଼ ଗୌରବ ଭର ଜାତିର ଅପମାନ

ଶୈଳ ପାଷାଣ ବୁକୁ ଫାଟିଯାଏ, ଫାଟିଯାଏ କିବା ପ୍ରାଣ ।

ଶୁଣ ଶୁଣ ଆହେ ଖୋର୍ଦ୍ଧା ପାଇକ ବିଜୟୀ-ବିଜୟୀ ସିଂହ ଜାତି

ନିଅ ଏ ଶପଥ ବରୁଣେଇ ପଥ ଅଣୁ ପରମାଣୁ ଉଠୁ ହେ ତାତି

ଅନୁଧ୍ୟାନ କରି ଗଙ୍ଗବଂଶର ଉତ୍କଳ ଗଉରବ ।

ଜାଗ ହେ ଖୋର୍ଦ୍ଧା ପାଇକ ସିଂହ ଜାଗ ହେ ଯୁଦ୍ଧ-ଜୀବ ।

•••

 

ଭକ୍ତ ଚରଣ

 

କୃଷ୍ଣ-ଭକ୍ତ ଶିରୋମଣି ହେ ଭକ୍ତ ଚରଣ,

‘ମଥୁରାମଙ୍ଗଳ’ ଗ୍ରନ୍ଥ କବି ସୁନିପଣ,

ସରଳ ସାଧକ ଶ୍ରେଷ୍ଠ, ହେ ମହାପୁରୁଷେ,

ଅମୃତ ବରଷି ତବ ଲେଖନୀ ସରସ–

ଉତ୍କଳର ଭକ୍ତ କବି ଲୋକେ ସୁବିଦିତ,

ଉତ୍କଳର ଗୃହେ, ତୁମେ ପ୍ରତିଷ୍ଠିତ,

କୃଷକ କୁଟୀରେ, ପୁଣି ଧନିକ ପ୍ରାସାଦେ,

ତୁମରି ‘ମଥୁରା’ ଗାଥା ଭରଇ ଆନନ୍ଦେ–

ତୁମ ବେଳୁ କେତେ ନେତା କେତେ ସୌଦାଗର

କେତେ ସୈନ୍ୟ ରଥୀ ଯୋଦ୍ଧା, ଶତ ସଂଗ୍ରାମର,

ଇତିହାସେ ଲୁଚିଲେଣି,କିନ୍ତୁ ଆହେ କବି

ତୁମର ତରଳ ଛାନ୍ଦେ, ପ୍ରାଣଯାଏ ଦ୍ରବି–

କୃଷ୍ଣଭକ୍ତି ରସ ଗାନ ତୁମରି କେବଳ

ଉତ୍କଳସାହିତ୍ୟ ମୁଖ କରଇ ଉଜ୍ୱଳ ।

•••

 

କଳିଙ୍ଗ କଳା

 

ଇନ୍ଦ୍ରଧନୁ ମହୋତ୍ସବ ରଙ୍ଗୀନ ବିଳାସ,

ବସନ୍ତର ନାଗେଶ୍ୱର ଲୋହିତ ପଳାଶ,

ଚାନ୍ଦିନୀର ପେଲବତା କୌମୁଦୀ ସୁଷମା,

ଚାରୁ ଚକ୍ରବାଳ ସୀମା ନିସର୍ଗ ନୀଳିମା–

ତୁମ ବୁକେ ଫୁଟିଅଛି ହେ କଳିଙ୍ଗ କଳା !

ତୁମେ ଅବା ଶିଳାରୂପେ ପେଷି ଫୁଲ ଦଳା,

ତୁମ ବୁକେ ଫୁଟିଅଛି ଅନନ୍ତ ବିଭବ,

ସନ୍ଧ୍ୟା ଅଧାଫୁଟା ଗୌର ଗୋଲାପ ଗୌରବ ।

ନିର୍ଝରର ନିଦ୍ରାଭଙ୍ଗକାଳୀନ ସ୍ପନ୍ଦନ,

ସୁରଭିତ ନନ୍ଦନର ଚର୍ଚ୍ଚିତ ଚନ୍ଦନ ।

ପୁଷ୍ପରସ ହାସ୍ୟ ବାସ ପ୍ରାଣ ଅନୁରାଗ,

ମାନବାତ୍ସା ଅନୁଭୂତି ହୁଏ କି ଉଜାଗ ?

ପ୍ରକୃତିର ଚାରୁଲାସ୍ୟ ଲବଙ୍ଗ ଲଳିତ,

ନବ ମୃଗ ପରଭୃତ ଚକ୍ଷୁ କଣ୍ଠ ସ୍ଫୀତ,

ତୁମ ଦେହେ ହେ କଳିଙ୍ଗେ, କଳା ସୁକୁମାର ?

ସୃଷ୍ଟି କିବା ରୂପ ପାଏ–ବିଶ୍ୱ କଳ୍ପନାର ।

ତେଣୁ ଆଜି ମୁଗ୍‌ଧ ପ୍ରାଣେ କରେ ପ୍ରଣିପାତ,

ଶିଳା ଦେହେ ଦେଖି ବିଭୁ ଅନନ୍ତ ଇଙ୍ଗିତ ।

ମୁଗ୍‌ଧ ନର ମୁଗ୍‌ଧ ନାରୀ ସ୍ତମ୍ଭିତ ଜଗତ,

ସୃଷ୍ଟି ଗାଏ ତୁମ ପଦେ ‘ସ୍ୱାଗତ ସ୍ୱାଗତ’

ବିଶ୍ୱଜନ ମନପ୍ରାଣ ଅଭିଭୂତ ଆଜି,

ଶିଳା ଅଙ୍ଗେ ଦେଖଇ ସ୍ଫୁଟ କୋକନଦ ରାଜି

ହେ କଳିଙ୍ଗ କାନ୍ତ କଳା, ହେ ଛବିଳ କଳା,

ତୁମେ କିବା ରସରାଜ ଜାହ୍ନବୀ ଉତ୍ତଳା ?

ସୁକୁମାର ଅନୁଭୂତି ଉଲ୍ଲୋଳ ତରଙ୍ଗ,

ତୁମ ହୃଦେ ବେଳାପରେ କରେ ଗତିଭଙ୍ଗ ।

ତୁମେ ଅବା କାବ୍ୟ ଏକ ଉଦାର ଉଜ୍ଜ୍ୱଳ,

ମାନବର ସ୍ନେହ ପ୍ରୀତି ଜୀବନ୍ତ ସମ୍ୱଳ ।

ଜୀବନର ମହାଭାବେ ଚିତ୍ତ ଉପାଦାନେ,

ତୁମେ କିବା, ଗଢ଼ା ସତ୍ୟ ସୃଜନ ସନ୍ଧାନେ ।

ତୁମେ କିବା ସତ୍ୟ ସୃଷ୍ଟି ପାଇଁ ଅଭିପ୍ରେତ,

ବକ୍ଷେ ଧରି କଳ୍ପନାରେ ଶାଣିତ ବିଦ୍ୟୁତ ।

ତେଣୁ ମୁହିଁ ତୁମଆଗେ କରେ ପ୍ରଣିପାତ,

ଦେଖି ତବ ଦେହେ ନବ ଲାବଣ୍ୟ ସମାତ ।

କୃଷ୍ଣସାର ଅନୁସାରୀ ଶିକାରୀ ଆବେଗ,

ସହାକର ଶାଖାନୀଡ଼େ,ଯୁଗଳ ବିହଗ ।

ସଂଗ୍ରାମ-ଅଶ୍ୱର ସେ ଯେ କଦମ ଗମନ,

ସେନାପତି ଅଗ୍ରରଥ-ନିଶାଣ କମ୍ପନ ।

ବିଜୟୀର ହୃଦଫଟା ଅସମ୍ଭାଳ ହସ,

ପରାଜିତ ପ୍ରାଣତଳ ଆକୁଳ ଉଚ୍ଛ୍ୱାସ ।

ଆଷାଢର କୃଷ୍ଣଘନ ଶ୍ୟାମଳ ସକାଳ,

ଶାରଦୀୟ ବନବଧୂ ଚନ୍ଦ୍ରିକା ଦୁକୂଳ–

ଦେଖିଛି ମୁଁ, ଦେଖିଛି ମୁଁ ତବ କାନ୍ତ ଦେହେ,

କଳାମୟୀ ଉତ୍କଳର କଳା-କମ୍ରଶୋହେ ।

•••

 

କ୍ଷୁଦ୍ରର ଗୌରବ

 

ଜନନୀ ଦିଅଇ କାହିଁ ସ୍ନେହର ଚୁମ୍ବନ,

ଶିଶୁର ଲପନେ ଭରି ଅମୃତ କଲ୍ୟାଣ ।

ବୃଦ୍ଧ କାହିଁ ଶିଶୁ ଶିରେ ହାତ ରଖି କହେ

ହୁଅ ତୁମେ ବିଶ୍ୱଜୟୀ ଆୟୁଷ୍ମାନ ଆହେ !

କ୍ଷୁଦ୍ର ଦୁର୍ବା ତାର ଶିରେ ରବି ତେଜୀୟାନ,

ଢାଳିଯାଏ ଶୁଦ୍ଧ ପୂତ ଆଲୋକ ମହାନ ।

ଚକୋଉର କଣ୍ଠେ ପୁଣି ଆକାଶ ଚନ୍ଦ୍ରମା,

ଢାଳିଦିଏ ସୁଧା ତିଳେ ନରଖି ଗାରିମା

କ୍ଷୁଦ୍ର ଯେହୁ ତାର ପାଇଁ ଉଦାର ପୁରୁଷ,

କାନ୍ଦେ ଅବିରତ ସିନା ନ ରଖି ପୌରୁଷ ।

କ୍ଷୁଦ୍ର ଯେହୁ ସେହୁ ହୁଏ ଜଗତ ଜନର

ଆଶିଷ ଭାଜନ ନିତ୍ୟ, ଦାୟାଦ ଦାବୀର ।

ତା ପାଇଁ ସକଳେ କାନ୍ଦି ଦିଅନ୍ତି ଲୋତକ

କ୍ଷୁଦ୍ର ପାଇଁ ଭାବିହୁଏ ନିଖିଳ ଭୂଲୋକ ।

•••

 

ଅଶ୍ରୁର ଆହୁତି

 

ଏକଗ୍ରାମେ ଥିଲେ ଜଣେ ମହିଳା ବିଦୁଷୀ

ସକଳେ କରନ୍ତି ତାଙ୍କ ପ୍ରଶଂସା ଭୂୟସୀ

ତାଙ୍କର ବୟସ ହେବ ଚାଳିଶି ସେ ପାରେ

ମହିଳା ଥାଆନ୍ତି ଦୁଃଖେ ସ୍ୱରୁହ ସଂସାରେ ।

ବିବାହ ଜୀବନ ହେବ ବହୁତ ବରଷ

ତଥାପି ନାରୀର ସୃଷ୍ଟି ସୌଭାଗ୍ୟ ସରସ

ବିଧାତା ଘଟାଇ ନାହିଁ ତାଙ୍କର ଜୀବନେ

ଦାମ୍ପତ୍ୟ ପ୍ରଣୟ ମଧୁ ମମତା ବନ୍ଧନେ

ଦାମ୍ପତ୍ୟର ନିଦର୍ଶନେ ଗୋଟିଏ ସନ୍ତାନ

ଯା’ ଲାଗି ସୃଷ୍ଟିରେ ବହେ ବାତ୍ସଲ୍ୟର ଧାରା

ଯା’ ଲାଗି ବହଇ ଜୀବନର ପରମ୍ପରା

ସେହି ସେ ସନ୍ତାନ ପାଇଁ ମହିଳାର ପ୍ରାଣ

ଦୀର୍ଘ ବର୍ଷ କରୁଥାଇ ଲୋତକ ବର୍ଷଣ

ଅନ୍ତରର କୋହ ପୁଣି ଉଠଇ ସନ୍ତତ

ଶିଶୁଶୂନ୍ୟଗୃହ ଯେହ୍ନେ ଦୂର୍ବା, ହୀନ ପଥ

ଗୋଟିଏ ସନ୍ତାନ ଖାଲି ଗୋଟିଏ ସନ୍ତାନ

ସେଇଥି ପାଇଁକି ତାଙ୍କ ହୃଦୟେ କ୍ରନ୍ଦନ ।

ସନ୍ତାନ ଅଭାବେ ଜାଗେ ନୟନରେ ପାଣି

କରୁଣ ମନ୍ଥନ ଚିତ୍ତେ ଉଠଇ ଉଜାଣି

ସଳିତା ବିହୀନ କିବା ପ୍ରଦୀପ ଜୀବନ

ସୁରଭି ବିହୀନ କିବା କୁସୁମ ଚନ୍ଦନ

ଦୂର୍ବାର ବିହୁନେ କିବା ମୃତ୍ତିକାର ଅର୍ଥ

ସଲିଳ ବିହୁନେ ମେଘ ନୁହେଁ କି ଅସତ୍ୟ !

ସନ୍ତାନ ଅଭାବେ ସତେ ନାରୀର ଜୀବନ

ନୁହେଁ କିବା ହାହା କାର ଭରା ଅକାରଣ

ଫୁଲ ଫଳ ବିନୁଁ ଯେହ୍ନେ ବ୍ୟର୍ଥ ବନତରୁ

ଅପତ୍ୟ ଅଭାବେ ତେହ୍ନେ ତା ଜୀବନ-ମରୁ ।

କ୍ଷୟହୀନ ସର୍ଜ୍ଜନାର ପରମ୍ପରା ସୂତ୍ରେ

ଜନ୍ମ ମୃତ୍ୟ ଅଭିନୟ କୁହୁକର ମନ୍ତ୍ରେ

ଆତ୍ମ ସଂଘର୍ଷରେ ଜୀବ ଆତ୍ମସୃଷ୍ଟି ମାଗେ

ପ୍ରକୃତି ନିହତି ସର୍ଜ୍ଜନାର ଅନୁରାଗେ ।

ସେହି ତୃଷା ସେହି କ୍ଷୁଧା ସେହି ପିପାସାରେ

ଅନ୍ତରର ନିମନ୍ତ୍ରଣ ଗୁପ୍ତ ଆକାଙ୍‌କ୍ଷାରେ

ମହିଳା ଚାହାନ୍ତି ଏକ ନୟନ ସଙ୍ଖାଳି

ଯା ଲାଗି ଜୀବନ ବିତେ ନିତି ଭାଳି ଭାଳି ।

ମନେ ମନେ କଲେ ସେହୁ ସଂକଳ୍ପ କଠୋର

ସନ୍ତାନ ହୁଅନ୍ତା ଯେବେ ଜୀବନେ ତାଙ୍କର

ପ୍ରଥମ ସନ୍ତାନ ତେବେ ଦେବେ ସେ ଆହୁତି

ବିଧାତା ଚରଣେ-କୃତଜ୍ଞତାର ବିଭୂତି ।

ପ୍ରଥମ ସନ୍ତାନ ଗୋଟି ଦେବତା ଚରଣେ

ଦେବେ ସେ ଆହୁତି, ସତ୍ୟ, ତ୍ରିବାର ଜୀବନେ,

ସେହିଦିନୁ ବିଧାତାରେ କଲେ ସେ ଅର୍ଚ୍ଚନା

ଗୋଟିଏ ସନ୍ତାନ ଖାଲି ତାଙ୍କର କାମନା

କଲେ ଏ ସଂକଳ୍ପ ଦୃଢ, ବହୁ ବର୍ଷପରେ,

ବିଧାତାର ଆର୍ଶିବାଦେ, କରୁଣାର ଫଳେ

ଗୋଟିଏ ସନ୍ତାନ ଯେବେ ଉଜ୍ଜଳି କୁଟୀର

ଜନମ ହୋଇଲା, ନାଚେ ମହିଳା ଅନ୍ତର ।

କୋଳ ସଙ୍ଖାଳିରେ ଚାହିଁ ଜନନୀ ଆବେଗେ

କହନ୍ତି ମହିଳା, ମଧୁ ବାତ୍ସଲ୍ୟ ସରାଗେ,

‘ତୁ ଯେବେ ଅଛୁ ରେ ମୋର ସଙ୍ଖାଳିରତନ

ଲୋଡ଼ା ନାହିଁ ଆଉ ତେବେ ସରଗ ଭୁବନ

ଲୋଡ଼ାନାହିଁ ମୋର ତିଳେ ସମ୍ମାନ ଗୌରବ

ନୟନ ସଙ୍ଖାଳି ତୁ ମୋ, ସ୍ୱର୍ଗୀୟ ବିଭବ ।

ତୁ ମୋର ଜୀବନ ଆଶା, ଜୀବନର ଧନ

ତୋ ଲାଗି ସାର୍ଥକ ହେଲା, ମୋର ନାରୀ ଜୀବନ

ଏହା କହି ପ୍ରାଣାବେଗେ ମହିଳା ରତନ

ଶିଶୁର ଲପନେ ଭରି କୋଟିଏ ଚୁମ୍ବନ

ଲଭନ୍ତି ଅପାର ସୁଖ ସନ୍ତୋଷ ପ୍ରତ୍ୟହ

ତାହାର ସନ୍ତାନପାଇଁ କି ସୁଧା ଆଗ୍ରହ

ପୂର୍ବର ପ୍ରତିଜ୍ଞା ଆଉ ସଂକଳ୍ପ କଠୋର

ମହିଳା ହୃଦୟେ ଆଣେ ମନ୍ଥନ ଗଭୀର

ତାଙ୍କର ଜନନୀ ପ୍ରାଣେ ଅସୀମ ଯନ୍ତ୍ରଣା

ଜଣାଇଲା ପୂର୍ବେ ପ୍ରତି ବିଷମ ବେଦନା

ପ୍ରତିଜ୍ଞା ପାଳନେ ନାରୀ ଜୀବନ ସଫଳ

ପ୍ରତିଜ୍ଞା ପୂରଣେ ନାରୀ ନିରତ ଚଞ୍ଚଳ

ଯୁଗେ ଯୁଗେ ପରା ସେହୁ ତ୍ୟାଗ ହୁତାଶନ

ଜାଳି ଜଳାଇଛି ବଶ୍ୱେ, ତ୍ୟାଗ ନିଦର୍ଶନ ।

କଛି ନ ବିଚାରି ଆଉ, ପ୍ରଥମ ସନ୍ତାନେ

ଦେଲେ ସେ ଭସାଇ ଗଙ୍ଗାଯମୁନା ସଙ୍ଗମେ,

କୋଳର ସଙ୍ଖାଳି ଗୋଟି କଲେ ବିସର୍ଜ୍ଜନ

ସଂକଳ୍ପ ସନ୍ତାନଠାରୁ ଯେଣୁ ସୁମହାନ

ସେତେବେଳେ ପ୍ରାଚୀ କୋଳେ ସ୍ୱର୍ଣ୍ଣମୟୀ ଉଷା

ପିନ୍ଧି ରକ୍ତ ପଦ୍ମରାଗ ପାଟଳିମା-ଭୂଷା

ଅଶ୍ରୁ ଢାଳି କାନ୍ଦିଲା କି ଜନନୀର ଦୁଃଖେ

ଫୁଲ ବିକଶିତ ହେଲା ନାହିଁ ଗନ୍ଧ ସୁଖେ ।

ବନର ମୃଗିଣୀ କିବା ନିଜ ଶିଶୁପାଇଁ

କାନ୍ଦୁଥାଏ ଅହରହ ତୁହାଇ ତୁହାଇ

ବିହଙ୍ଗନୀ କାନ୍ଦୁଥିଲା ନୀଡ଼ ପରିହରି

‘‘କାହିଁ ଗଲୁ ସଙ୍ଖାଳିରେ, ଏକାକିନୀ କରି’’

ସେଦିନ ଶର୍ବରୀ କୋଳେ ବ୍ୟଥିତା ଜନନୀ

ନିଦ୍ରିତା, ନିଦ୍ରିତ ଯେବେ ନିଖିଳ ଅବନୀ,

ଦେଖିଲେ ସପନ ଏକ ତାଙ୍କ ଶୂନ୍ୟକୋଳେ

କିଏ ଜଣେ ଯୋଗୀ ଆସି ଅଳ୍ପ ଅନ୍ତରାଳେ

ରହି, ସଂସ୍ଥାପନା କରି ଶିଶୁ ଦୁଇଗୋଟି

କହୁଛନ୍ତି, ‘‘ହେ ଜନନି, ବସ ଏବେ ଉଠି

ସନ୍ତାନରେ, ଦିଅ ଦୁଗ୍‌ଧ, ତୁମ ସତ୍ୟବ୍ରତେ

ସନ୍ତୁଷ୍ଟ ମୁଁ ହୋଇଅଛି ଆତ୍ମହରା ସତେ ।’’

ସେହିଦିନୁ ବର୍ଷବହୁ ଯାଇଅଛି ବିତି

ଅନେକ ସନ୍ତାନ-ମାତା ଏବେ ସେହି ସତୀ,

ତାଙ୍କ ପୁର ମୁଖରିତ କରୁ ଶିଶୁଦଳ

ସୁଶୀତଳ କରୁଥାନ୍ତି ନାରୀ ପ୍ରାଣତଳ

ଅଗାଧ ଅସତ୍ୟ ସ୍ନେହେ ମହିଳା ତଥାପି

ପ୍ରଥମ ସନ୍ତାନପାଇଁ ସର୍ବଦା ବିଳପି

କାନ୍ଦନ୍ତି ଫୁଟାଇ ବୁକୁ, ସନ୍ତାନର ମେଳେ,

ଭସାଇ ଦେଲି ମୁଁ ତାରେ, କାହିଁ ଗଙ୍ଗା ଜଳେ’’ ।

•••

 

ଗତ୍ୟନ୍ତର

 

ନୟନେ ଭରିଛି ଏତେ ଅସରନ୍ତି ଲୁହ

ଅନ୍ତରେ ଭରିଛ ଖାଲି ବିଷାଦର କୋହ

ଦେଇଛି ବିଷାଦ ବ୍ୟଥା ଦାରୁଣ ବିପତ୍ତି

ଦେଇ ନାହିଁ ତିଳେ ପ୍ରଭୁ ସହନ ଶକତି ।

ପଥେ ପଥେ ତୁମେ ଦିଅ କଣ୍ଟକ ବିଛାଇ

ନଇରାଶ୍ୟ ଦିଅ ଏ ଯେ ତୁହାଇ ତୁହାଇ

ଦିଅ ନାହିଁ କାହିଁ ତୁମେ ଅନ୍ତରରେ ବଳ

ଦିଅ ନାହିଁ ଝଡ଼ ଘୋର ଦୁର୍ଦ୍ଦିନେ ସମ୍ବଳ

ତୁମର ଏ ସତେ କିବା ବିହିତ ବିଚାର

ଜାଣି ଜାଣି ଶିରେ ଲଦି ଦିଅ ଗୁରୁଭାର

ନିରନ୍ତର ଏ ମୋ କୋହ ଆକୁଳ ଅନ୍ତର

ବୁଝ ବୁଝ ପ୍ରଭୃ ଆଉ ନାହିଁ ଗତ୍ୟନ୍ତର ।

•••

 

ଆତ୍ମଶକ୍ତି ପରିଚୟେ ଜାଗେ ଅଭିଳାଷ

 

ଆତ୍ମଶକ୍ତି ପରିଚୟେ ଜାଗେ ଅଭିଳାଷ

ଆତ୍ମ-ଧୈର୍ଯ୍ୟ ଦିଅ ମୋତେ ବିଜୟ ବିଶ୍ୱାସ ।

ଆତ୍ମ ସତ୍ୟ ସହିଷ୍ଣୁତା ନିର୍ଭୀକତା ଆସ

ଆତ୍ମଶକ୍ତି ପରିଚୟେ ଜାଗେ ଅଭିଳାଷ ।

ହେ ଚରିତ୍ର, ତୋତେ ମୋର ନିତ୍ୟ ଅନୁରୋଧ,

ନ ଆସୁ ସ୍ଖଳନ ପଥେ କରି ଗତିରୋଧ ।

ହେଉ ପୂର୍ଣ୍ଣ ଜୟଯାତ୍ରା ମଧୁର ବିକାଶ,

ଜୀବନ କାବ୍ୟର ଘଟୁ ବିହିତ ବିନ୍ୟାସ ।

ଆତ୍ମଶକ୍ତି ପରିଚୟେ ଜାଗେ ଅଭିଳାଷ,

ଡାକେ ମୋତେ ବିଶ୍ୱ, ଡାକେ ଉତ୍ତୁଙ୍ଗ ଆକାଶ ।

•••

 

ପାରିବ କି ?

 

ପିପାସା ଆକୁଳ ପରାଣେ ମୋହର

ଢାଳି ପାରିବ କି ଅମୀୟ ଧାରା

ଅନ୍ଧକାର ପଥେ ନୀରବ ନିଶୀଥେ

ଦେବ ଢାଳି ନଭୁ ଜ୍ୟୋଛନାମାଳା ?

ନୀରସ ଜୀବନେ ଦେଇ ପାରିବ କି

ଫୁଟାଇ ସରସ କମଳ ବନ

ବିକଶିତ କରି ସୁମନ କଳିକା

ପାରିବ କି ହରି ପରାଣ ମନ ?

ଆକୁଳିତ ପ୍ରାଣେ ପାରିବ ହସାଇ

ସରଗ ଲାବଣ୍ୟ ପସରା ଇନ୍ଦୁ

ଦଗ୍‌ଧ-ହୃଦେ-ବନେ ପାରିବ ସରଜି

ଉଷାର ଶୀକର ସଲିଳ ବିନ୍ଦୁ ?

•••

 

ମଧୁସ୍ମୃତି

 

ଉତ୍‌କଳର ଗଉରବ ହେ ମଧୁସୂଦନ

ଘେନ ଗୁରୁ, ଘେନ ମୋର ଏଅର୍ଘ୍ୟ ଚନ୍ଦନ

ପ୍ରଭାତର ହାସ୍ୟମୟୀ କନକ ଆଲୋକେ

ଗୁରୁ ପୂଜା ମନ୍ତ୍ରଭୋଳେ ଅୟୁତ ପୁଲକେ

ଧରିଛି ଏ ଜାତି ଆଜି ବନ୍ଦାଣ ଦୀପାଳି

ଯେ ପ୍ରଦୀପ ଗୁରୁ ତୁମେ ଦେଇଥିଲ କାଳି

ଧରିଛି ଏ ଜାତି ଆଜି ଗୋଲାପ କୁସୁମ

ଯେ କୁସୁମ ସ୍ରଷ୍ଟା ତୁମେ, ଆହେ ପ୍ରିୟତମ

ଉତ୍କଳର ଗୃହେ ଗୃହେ ଏ ମଧୁ ଲଗନେ

ମଧୁ ଆହେ ତବ ସ୍ମୃତି ଶୁଭ୍ର ପ୍ରାଣାଙ୍ଗନେ

ନାଚି ଉଠେ ରଶ୍ମି ତୋଳି ଯୁଗେ ଯୁଗେ ପରା

ସିନ୍ଧୁ ଘାଟେ ନାବିକରେ କରି ଆତ୍ମହରା

ହେ ବରେଣ୍ୟ ଗୁଣମୟ ଉତ୍କଳ ଗୌରବ

ଶକ୍ତି ଦିଅ ପୂର୍ଣ୍ଣ ହେବ ଜାତୀୟ ଉତ୍ସବ

ଶାନ୍ତ ହେବ ଉତ୍କଳର ଜାତୀୟ ପିପାସା

ଐକ୍ୟ ଫଳେ ପୂର୍ଣ୍ଣ ହେବ ଉତ୍କଳର ଆଶା

 

(ଦୁଇ)

 

ଦିଅ ତବ ଆଶୀର୍ବାଦ ଢାଳ ସୁକଲ୍ୟାଣ

ଆହେ ପୂଜ୍ୟ ଭଗୀରଥ ଏ ଜାତି ବରଣ

ଆଜି ବନ୍ଧୁ ଏ ଉତ୍କଳୀ ଖଣ୍ଡ ବିଖଣ୍ଡିତ

ଅନାହାର ବନ୍ୟା ରୋଗେ ଏ ଜାତି ପୀଡ଼ିତ

ଯେ ପ୍ରେରଣା ଯେ ଉତ୍ସାହ ଅନୁଭବି ପ୍ରାଣେ

ଲାଗିଥିଲ ଏ ଜାତିର ଅଭାବ ପୂରଣେ

ନୁହେଁ ପୂର୍ଣ୍ଣ ନୁହେଁ ପୂର୍ଣ୍ଣ ସେ ବିପୁଳ ଯଶ

ତେଣୁ ବନ୍ଧୁ ପ୍ରତିବର୍ଷ ମାଗୁ ହେ ଆଶୀଷ

ମଧୁ ପ୍ରାଣ ଅନାବିକ ପୂତମଧୁ ଧାରା

କର ପାନ ତୃପ୍ତ ଚିତ୍ତେ ହେ ଉତ୍‌କଳୀ ସାରା

କୋଣାରକ ଖଣ୍ଡଗିରି ଆଗୋ ମହାନଦୀ

ଛୁରିଅନା ବିଚ୍ଛୁରିତ ସାକ୍ଷୀ ସତ୍ୟବାଦୀ

ଚାହିଁ ଚାହିଁ ବାରେ ଅବା ଚାହଁ ମୁଗ୍‌ଧ ପ୍ରାଣେ

ମଧୁ ତବ ସ୍ୱର୍ଗପ୍ନରୁ ଚାହେଁ ଅନୁକ୍ଷଣେ ।

•••

 

ବିଶ୍ୱଭିକ୍ଷୁକ ମାଲବୀୟଜୀ

 

ଜନ୍ମଭୂମି ଯୋଗ୍ୟପୁତ୍ର ପୂତ ମାଲବୀୟ,

ତୁମ ପ୍ରାଣେ ପ୍ରତିଭାର ପୂର୍ଣ୍ଣ ସମନ୍ୱୟ,

ସଂସ୍କୃତିରେ ଅବା ତୁମେ ଜୀବନ୍ତ ପ୍ରତୀକ,

ତୁଂଗ ହିନ୍ଦୁ ଆଧ୍ୟାତ୍ମିକତାର ପ୍ରଚାରକ।

ମହାତେଜା, ମହାଚେତା, ପଣ୍ଡିତ ପ୍ରଚାର

ବିଶ୍ୱ ବିକାଶର ମୂର୍ତ୍ତି, ଜ୍ଞାନ ସୌଦାଗର,

ହେ ବଦାନ୍ୟ, ହେ ବରେଣ୍ୟ, ହେ ବିଶ୍ୱଭିକ୍ଷୁକ,

ଭିକ୍ଷୁ ସାଜି ଶୁଣିଥିଲ ଭିଖାରୀର ଡାକ ।

ଭୁଲି ସାଂପ୍ରଦାୟିକତା କଳୁଷ କି ସତେ

ଚାଲିଥିଲ ସୁବିପୁଳ ଜୀବନର ପଥେ

ବନାରସେ ତୋଳି ହିନ୍ଦୁ ସଭ୍ୟତା ଶିବିର

ବେଦ ଗାନେ ମୁଖରିତ କରି ଗଙ୍ଗାତୀର,

ହେ ବିରାଟ ଅବତାର, ଋଷି ମହନୀୟ,

ଯୁଗେ ଯୁଗେ ସୃଷ୍ଟିତଳେ ତୁମେ ବନ୍ଦନୀୟ ।

•••

 

ସତ୍ୟାଗ୍ରହୀ

 

ଚିତ୍ତ ଯାର ମୁକ୍ତ ସଦା ପୁଷ୍ପପରି ଶୁଦ୍ଧ ପ୍ରାଣ

 

ମୁଖେ ନିତ୍ୟ ମୁଖ୍ୟ ଯା’ର ସାମ୍ୟ ଶାନ୍ତି ମୈତ୍ରୀଗାନ

ନିଃସ୍ୱ ଲାଗି ନିଃସ୍ୱ ଯେହୁ ଦୁଃଖୀ ଲାଗି ଦୁଃଖ ସହେ

 

ଅନ୍ୟ ହିତେ ଜଳଦପରି ଭଗ୍ନ ପ୍ରାଣେ ବଜ୍ର ବହେ ।

ତାର ଗୀତ ବିଶ୍ୱ ଘୋଷେ ମୂଗାବେଶେ ମନ୍ଦ୍ର ତାଳେ

 

ସଳିତା ରୂପ ଜଳିଇ ଯେହୁ ଆପେ ମରି ରଶ୍ମି ଢାଳେ

ତାରି ଲାଗି ଶୂନ୍ୟେ ତାରା ଚନ୍ଦ୍ର,ରବି, ଗାଏ ଗୀତ

 

ଶରଦାକାଶେ ସ୍ୱଚ୍ଛ ରୂପେ ଫୁଟି ଉଠେ ତା ସ୍ୱଚ୍ଛଚିତ୍ତ ।

ସିନ୍ଧ ବୀଚି ଉତ୍ତାକେ ନାଚି ଚରଣେ ତାର ଅର୍ଘ୍ୟ ଢାଳେ

 

ସୃଷ୍ଟି ପଥେ କି ଅନୁରାଗେ ମଣିଷ ତାର ସ୍ମୃତି ପାଳେ ।

ସତ୍ୟାଗ୍ରହୀ ଜାଣେ ନା ସେହୁ ଜୀବନେ କିଛି ଭ୍ରାନ୍ତି ଭୟ

 

ବିଶ୍ୱ ସେବି ହୋଇଛି ସେ ଯେ ବିଶ୍ୱତଳେ ବନ୍ଦନୀୟ ।

ଶତ୍ରୁ ଆଗେ ଶାନ୍ତମନେ ହୁଏ ସେ ଠିଆ ସତ୍ୟ ଜ୍ଞାନେ

 

ସତ୍ୟ ପ୍ରତି ଆଦର ତାର ସତ୍ୟ ଲାଗି ମରି ସେ ଜାଣେ ।

•••

 

କେଳା

 

ପଲ୍ଲୀ ପଥେ ଦେଖିଲି ମୁଁ ଥରେ

 

ଏକଦିନେ ଭୁଲା ମୁହୂର୍ତ୍ତରେ

ଜୀର୍ଣ୍ଣ ଏକ କନକ କୁଟୀର

 

ଠିଆ ଅଛି ନଦୀ ଆର ପାରେ

ଭଙ୍ଗାରୁଜା ମାଟି ରଣର୍ଭଣ

 

ହୁଙ୍କା ଉଚ୍ଚ ନୀଚ ମାଟି

ତହିଁ ଏକ ସରଳ କୁଟୀର

 

ଜୀର୍ଣ୍ଣକାନ୍ଥେ ଝୁଲୁଅଛି ତାଟି ।

ପଲ୍ଲୀପଥେ ଦେଖିଲି ମୁଁ ଥରେ

 

ଏକ ଦିନେ ଭୁଲା ମୁହୂର୍ତ୍ତରେ

ଜୀର୍ଣ୍ଣ ଏକ କନକ କୁଟୀର

 

ଚଉଦିଗେ ବନ ବିଲ ଭରେ ।

ନୂଆଣିଆ ଚାଳ ପରେ କାହିଁ

 

ଲାଉ ଡଙ୍କ ଖେଳୁଅଛି ଦୋଳି

ଥାନେ ଥାନେ କଖାରୁର ଫୁଲ

 

ହସେ ଯେହ୍ନେ ପବନରେ ଢଳି

ଜୀର୍ଣ୍ଣ ଏକ କନକ କୁଟୀର

 

ଜଣା ନାହିଁ ବୟସ ତାହାର

ବରଣ୍ଡାର ତଳେ ତଳେ କାହିଁ

 

କୁଢ଼ କୁଢ଼ ପାଉଁଶ ଅଙ୍ଗାର

ଯାଉଁ ଯାଉଁ ମୁହିଁ ମୋର ପଥେ

 

ଚାହୁଁ ଥାଏ ଉଦାସୀନ ମନେ

ଆହା ଏଠି କୁଟୀର ଗୋଟିଏ

 

ଦୃଷ୍ଟି କରେ ଆକର୍ଷଣ କ୍ଷଣେ

ନୁହେଁ ଏହା ପ୍ରାସାଦ ମହଲ

 

ନୁହେଁ ଏହା ମୁକୁଳା ଉଆସ

ନାହିଁ ଏଥି ରୂପ କୁମାରୀର

 

ରାଜଜେମା ସପନ ବିଳାସ

ଉଠୁନାହିଁ କୁଟୀର ଅନ୍ତରୁ

 

ସନ୍ଧ୍ୟା ରାଗେ ମୁଗ୍ଧ ଗାୟକର

ଗୁରୁକଣ୍ଠ ମୋହନ ମୃର୍ଚ୍ଛନା

 

ରସମୟ ସଙ୍ଗୀତ ଲହର ।

ଦୀର୍ଘଦିନ ମନ୍ଦ୍ର ବିରହର

 

ବ୍ୟଥା ଭରା ସପନ କାହାଣୀ

ନାହିଁ ଏଥି, ସରଳ କୁଟୀର

 

ବକ୍ଷେ ଦୁଃଖୀ କେତୋଟି ପରାଣୀ ।

ଜୀର୍ଣ୍ଣ ଏକ ସରଳ କୁଟୀର

 

ଦେଖିଲି ମୁଁ ଯାଉଁ ଯାଉଁ ବାଟେ

ଏ ସମୟେ ଗାଉଥାଏ ଗୀତ

 

ନାଉରିଆ ନଦୀ ଆର ଘାଟେ,

ଜୀର୍ଣ୍ଣ ଏହି କୁଟୀରର ମାଟି

 

ଉଚ୍ଛୁଳାଇ କେତୋଟି ଜୀବନ

କରୁଥାଏ ନିତ୍ୟ ଶାନ୍ତି ଭୋଗ

 

ସୁମଧୁରେ ଦିବସ ଯାପନ ।

ଦୁଃଖୀରଙ୍କି କେତୋଟି ପରାଣୀ

 

ପଥ ପାର୍ଶ୍ୱେ ଏ କୁଟୀର କୋଣେ

କି ସରଳ ସୁଖ ଅନାମୟ

 

କରୁଥିଲେ ଭୋଗ ମୁକ୍ତ ପ୍ରାଣେ ।

ସମାଜର ଅନୁନ୍ନତ ଜାତି

 

ଗଜମୂର୍ଖ,ନୁହେଁ ଜଣାଶୁଣା,

କେଳା ବୋଲି ସବୁଠାରେ ହେୟ

 

ସବୁଠାରେ ତା ଆଦର ଊଣା ।

ତଥାପି ବା ତାଙ୍କ ସଙ୍ଗେ ସୁଖୀ

 

ଅଛି କିଏ ସାରା ଜଗତରେ

ପ୍ରକୃତିର ମୁକ୍ତି ଅଙ୍ଗନରେ

 

ପ୍ରକୃତିର ଘନ ବେଷ୍ଟନୀରେ,

ସେହି ମାଟି ସେହି ମଶାମାଛି

 

ହୁଙ୍କା ହିଡ଼ ଅପନ୍ତରା ମାତେ

ବସା ବାନ୍ଧି ପରିବାର ସହ

 

ରହିଅଛି କେଳା କାଳେ କାଳେ ।

•••

 

ପ୍ରଜାପତି

 

ନର୍ଝରିଣୀ ତଟପାରେ ଭରା ପୁଷ୍ପବନେ;

ବଲ୍ଲୀ ଯହିଁ ଜଡ଼ି ରହେ ତରୁ ଅପଘନେ,

ଯହିଁ ପ୍ରାତେ ଫୁଟି ଗନ୍ଧ ପୁଷ୍ପ ନାନାମତେ,

ସନ୍ଧ୍ୟାଗମେ ଝଡ଼ି ତଳେ ଶୁଅନ୍ତି ଏ ପଥେ,–

ସେହି ପୁଷ୍ପ ସେହି ଲତା ଅଟବୀ ଗହଳେ,

ଉଡ଼ି ବୁଲେ ପ୍ରଜାପତି ନିତି ଯେ ବିହ୍ୱଳେ,

ପେନ୍ଥା ପେନ୍ଥା କମ୍ରକଳି କୁସୁମ ସ୍ତବକ,

କିଏ ଡାକେ ଆସ ବନ୍ଧୁ ସୁଷମା ଗ୍ରାହକ,

ପ୍ରକୃତିର ଡାକ ଶୁଣି ପ୍ରଜାପତି କାହିଁ

ପୁଷ୍ପବନେ ମୁଗ୍ଧପ୍ରାଣେ ବୁଲେ ମଧୁ ପାଇଁ ।

ବହିଯାଏ ନିର୍ଝରିଣୀ ଉପଳ ସୈକତେ,

ବନକୁଞ୍ଜ କ୍ଷେତ୍ରମାଳେ ମର୍ମର ସଙ୍ଗୀତେ,

ଆର୍ଦ୍ର ହୁଏ ପଥଧୂଳି ଉର୍ବର ମୃତ୍ତିକା

ଉପବନେ ଲୋଟି ପଡ଼େ କୁସୁମ ବୀଥିକା,

ଚଉପାଶେ ପୁଷ୍ପ ରେଣୁ ସୌରଭ ଭଣ୍ଡାର,

ବୃନ୍ତେ ବୃନ୍ତେ ଅନାଘ୍ରାତ ସୁଷମା ସମ୍ଭାର,

ନାହିଁ ବାଧା ପ୍ରତିବାଦ ନାହିଁ ପ୍ରତିଯୋଗ;

ନିର୍ଭୟେ ସେ ପ୍ରଜାପତି ତହିଁ ସୃଜେ ଭୋଗ,

ସ୍ୱାଧୀନ ସେ ପ୍ରଜାପତି ଶାନ୍ତ ନିରଳସ;

ପତଙ୍ଗ ହେଲେ କି ହେବ ସେ ଯେ ଆତ୍ମବଣ ।

ଭୋଗୀ ସେହୁ ମହାଭୋଗୀ ସନ୍ତୋଷସନ୍ତାନ,

ସୃଷ୍ଟି ତଳେ ଭାଗ୍ୟବାନ ଉଦାର ମହାନ ।

କି ଦେଖ ସଂସାରେ ତୁମେ ହେ ଜ୍ଞାନୀମାନବ,

ଅଛି ପରା ଅଭିଜ୍ଞତା ବିବେକ ଗୌରବ,

ଜ୍ଞାନୀ ତୁମେ ଯୁକ୍ତିପ୍ରିୟ ଆହେ ତର୍କ ପ୍ରାଣ,

ସୃଷ୍ଟିହାଟେ ତୁମେ ଏ ଯେ ଶ୍ରେଷ୍ଠ ସଂସ୍କରଣ,

ପଚାରିଛ କେବେ କିହେ ଆତ୍ମ ସମ୍ୱୋଧନେ,

ସୁଖୀ କିଏ ଶାନ୍ତ କିଏ ଏ ଧରାଭୁବନେ ?

ହେ ମାନବ, ଜ୍ଞାନଗର୍ବେ ପ୍ରଜାପତି ସମ

ହୋଇ କି ପାରିଛି କେବେ କାନ୍ତ ମନୋରମ ?

ହୃଦତଳେ କେବେ ସତେ କର ଅନୁଭବ

ପ୍ରଜାପତିସମ ମଧୁସ୍ପନ୍ଦନ ବିଭବ ?

କି ହେବ ଥାଇ ସେ ବୁଦ୍ଧି ବିବେକ ବିଚାର,

ପ୍ରାଣ ଯେବେ ନ ଲଭିଛି ଚେତନା ସଞ୍ଚାର ।

ବୁଦ୍ଧିମାନ ତୁମେ କାନ୍ଦ, ପିଶାଚ ଶୃଙ୍ଖଳେ

ପରାଧିନ ବଶୀଭୂତ ଅତୃପ ଜଞ୍ଜାଳେ ।

ଉଚ୍ଚମନ୍ୟ ମହାଦୁଃଖୀ ନିତ୍ୟ ଅତ୍ୟାଚାରୀ,

ମାତ୍ର କ୍ଷୁଦ୍ର ପ୍ରଜାପତି ଶାନ୍ତ ଅଧିକାରୀ

ପ୍ରଜାପତି, ହୁଅନ୍ତି କି ତୋପରି ସ୍ୱାଧୀନ,

ଲଭି ତବ ପ୍ରାଣ ସ୍ୱଚ୍ଛେ ସନ୍ତୋଷ ଅଭିନ୍ନ,

ଗାଇବାରେ ତବ ଗୀତି ଏ ମର ଜୀବନ;

ମହାସୁଖ ଅଇଶ୍ୱର୍ଯ୍ୟ କରନ୍ତା ସେବନ ।

କର ମୋତେ ଶାନ୍ତ ଆଜି, କର ହେ ରୁଚିର,

ମୋ ସମ୍ମୁଖୁ ଉଠିଯାଉ ସ୍ୱାର୍ଥର ପ୍ରାଚୀର,

ତଟ ଯେତେ ନିର୍ଯାତନା ଦାସତ୍ୱ ବନ୍ଧନ,

ହୋମାନଳେ ଯାଉ ଜଳି ମମତା ଇନ୍ଧନ ।

ଅଭିଳାଷ ମମ ପରା ପ୍ରଜାପତି ସମ,

ହେବି ବିଶ୍ୱେ ଶାନ୍ତପୂତ ମଞ୍ଜୁମନୋରମ ।

ପ୍ରଜାପତି, ପ୍ରଜାପତି, ହେ ସୁଧାସନ୍ତାନ,

ଦଗ୍‍ଧ ସୃଷ୍ଟ କୁଞ୍ଜେ ଏବେ ଉଠାଅ ହେ ତାନ,

ଜଗତର କରାଗାରେ ଅଶାନ୍ତମାନବ,

ମାଗେ ତବ ଶାନ୍ତି ଭିକ୍ଷା ଉଦାର ସୌରଭ,

ଚିତ୍ତେ ମମ ଜାଗୁ ନିତ୍ୟ ଅବ୍ୟକ୍ତ ସ୍ପନ୍ଦନ,

ହେ ପତଙ୍ଗ କର ମୋତେ ମଞୁଳ ମୋହନ ।

•••

 

ଗୋପ-ଗୌରବ

 

ସତ୍ୟବାଦୀର ଛୁରୀଅନା ବନ–

ବାଣୀମନ୍ଦିରେ ପୁରେ,

ଦୀର୍ଘ ଗ୍ରୀଷମ ଅବକାଶେ ପରେ

ନୂତନ ପ୍ରେରଣାଭରେ,

ଫେରିଲେ କିଶୋର ଦଳ,

ଅବକାଶ ପରେ ବାଣୀମନ୍ଦିରେ

ଉଠୁଥାଏ କଳରୋଳ ।

ଦୀର୍ଘ ଗ୍ରୀଷମ ଅବକାଶ ଇତି–

ମଧ୍ୟେ ଯାଇଛି ବିତି,

ନବ ମଉସୁମୀ, ରତ୍ନଚିରାରେ

ଚଞ୍ଚଳ ଢେଉ ଗତି,

ଚୂତର ବକୁଳ-ରାଶି

ସୁଦୂର ମଳୟେ ଛୁରୀଅନା ବନୁ

ସୁଦୂରେ ଯାଇଛି ଭାସି ।

ବାଣୀମନ୍ଦିରେ ଦେଖା ଦେଇଅଛି

ନୂତନ ଜୀବନଧାରା

କିଶୋର ଛାତ୍ର ଫେରି ଆସିଛନ୍ତି

ଗୁରୁକୁଳେ ଏବେ ପରା,

ସର୍ବ ଶିକ୍ଷକମେଳେ

ଗୋପବଂଧୁ ତ ଥିଲେ ସେ ଛାତ୍ର

ନିବାସେ ମମତାବଳେ ।

ଅବକାଶ ପରେ କିଶୋର ଛାତ୍ର

ଗୋଟି ଗୋଟି ହୋଇ ଥରେ

ପ୍ରଣତି ଦେଲେ ସେ ଗୋପବଂଧୁଙ୍କ

ପୁଣ୍ୟ ଚରଣ ତଳେ;

ମଙ୍ଗଳାଶିଷ୍ୟ ଦେଇ

ଗୋପବଂଧୁ ତ ପଚାରୁ ଥାଆନ୍ତି

‘‘କୁଶଳ ଅଛ କି ନାହିଁ ।’’

ପ୍ରଥମ କହିଲା, ‘‘ଘରେ ମା’ଙ୍କର

ଦେହ ଭଲ ନାହିଁ ମୋର’’

ଦ୍ୱିତୀୟ କହିଲା, ‘‘ଆମ ପରିବାରେ

ସଭିଙ୍କି ଭୀଷଣ ଜର’’

ତୃତୀୟ କହିଲା ଧୀରେ–

‘‘ମାଉସୀ ମୋହର ମରିଗଲେ ପରା

ଗତ ମଙ୍ଗଳବାରେ ।’’

କିଏ ସେ କହିଲା ପରିବାର ଦୁଃଖ

ନିଜ ଜୀବନର ଗାଥା

କିଏ ସେ କହିଲା ନିଜ ଜୀବନର

ନିଷ୍ଠୁର ବାସ୍ତବତା,

ଅର୍ଥ ଅଭାବ କା’ର,

ସକଳ ଉତ୍ତରେ ଥିଲା ସେହି ଏକ

ପ୍ରଶ୍ନର ବ୍ୟବହାର      

ଶୁଣି ଶୁଣି ଏତେ ଦୁଃଖ-ବେଦନା

ପରିବାର-ଇତିହାସ,

ଶୁଣି ଶୁଣି ଏତେ କିଶୋର ଛାତ୍ର

ପରାଣର ଅଭିଳାଷ,

ଥରିଗଲା ତାଙ୍କ ପ୍ରାଣ,

ଅଶ୍ରୁ ଭରିଲା କ୍ଷଣେ ଗୁରୁଦେବ–

ଦୀପ୍ତ ନୟନ କୋଣ ।

ସେ ଲୁହ ମରମ କିଶୋର ଛାତ୍ର

କିପରି ବୁଝିବ ଅବା !

ନିର୍ବେଦ ସମ ଛାତ୍ରାବାସେ ସେ

କିଶୋର-କୁମାର-ସଭା

ଛୁରୀଅନା ବନବାସୀ

ସନ୍ନ୍ୟାସୀ ପ୍ରାଣ ଋଷି ଅବତାର

କହିଥିଲେ ପୁଣି ହସି–

‘‘ତୁମେ ତ ସକଳ ଛାତ୍ର କହିଲ

ନିଜ ଘର ସୁଖ ଦୁଃଖ,

ନିଜ ଘର ପାଇଁ ଅଶ୍ରୁ ଭରଇ

ତୁମରି ସରଳ ମୁଖ;

କେହି ତ କହିଲି ନାହିଁ,

ଅବକାଶ କିଏ କଅଣ କରିଛ

ପଲ୍ଲୀମଙ୍ଗଳ ପାଇଁ !

କେହି ତ କହିଲ ନାହିଁ ପଦେ ହେଲେ

ଦରିଦ୍ର ପଡ଼ୋଶୀ କଥା

ତୁମ ଗାଁଆ ବିନ, ମକରା, ସଦେଇ,

ସୁଦା ପଧାନର ବ୍ୟଥା;

କେହି ତ କହିଲ ନାହିଁ–

କି କରିବେ ଚାଷୀ ବନ୍ୟା ଆଗମେ

ଭାଙ୍ଗି ଯିବ ଯେବେ ଘାଇ ।

ତୁମରି ଗାଆଁର ମକରା ପଧାନ

ନୁହେଁ କିବା ତୁମ ଭାଇ,

ତୁମର ନାହିଁ କି ଦାୟିତ୍ୱ ଟିକିଏ

ତୁମ ଗାଁ ଭାଇ ପାଇଁ

ତୁମେ କି ସ୍ୱାର୍ଥପର,

ସତ୍ୟବାଦୀର ଶିକ୍ଷା କି ଛୁଇଁ

ନାହିଁ ହେ ଜୀବନତଳ ।’’

ବିଦ୍ୟୁତ ସମ ଚମକ ପଶିଲା

କିଶୋର-ହୃଦୟ-ତଳେ

ଛାତ୍ରାବାସର ଅନ୍ତେବାସୀଏ

ବୁଡ଼ିଲେ ଲଜ୍ଜା-ଜଳେ

ସତ୍ୟବାଦୀର ବନେ

ଗୁରୁଦେବ ବାଣୀ ଥରାଇ ଦେଲା ସେ

ବକୁଳ-ସିଂହାସନେ ।

•••

 

ସେତେବେଳେ ପଡ଼ିବ କି ମନେ

 

କହ କହ ସେତେବେଳେ ପଡ଼ିବ କି ମନେ

ଚାରୁ ଚୂତ ମୁକୁଳିତ ମଞ୍ଜରୀ ଦକୁଳ

କହ କହ ସେତେବେଳେ ପଡ଼ିବ କି ମନେ

ଧାନ କ୍ଷେତେ ପଲ୍ଲୀ ଲକ୍ଷ୍ମୀ ସବୁଜ ଦୁକୂଳ

କହ କହ ସେତେବେଳେ ପଡ଼ିବ କି ମନେ

ଏହି ଶାନ୍ତ ଏହି କ୍ଳାନ୍ତ ରୁଦ୍ର ନୀଳାମ୍ବର

ନୀଳକାନ୍ତ ମହୋଦଧି ସ୍ନିଗ୍ଧ ବେଳାବନେ

ନୃତ୍ୟରତ କୃଷ୍ଣସାର ଗତି ଆଡ଼ମ୍ବର

କହ କହକ ସେତେବେଳେ ପଡ଼ିବ କି ମନେ

ଏହି ଗାଆଁ ଏହି ମାଟି ଏହ ନଦୀତୀର

ବିଦାୟର ଶେଷ ବଂଶୀ ଯେବେ ଶେଷ କ୍ଷଣେ

ବାଜିବ ଗୋ, ସ୍ମରିବ କି ଏ ଧରା ରୁଚିର ।

କହ କହ ସେତେବେଳେ ପଡ଼ିବ କି ମନେ

ମାନବ ଜୀବନ ସ୍ମୃତି, ଅନ୍ତିମ ଲଗନେ ।

କହ କହ ସେତେବେଳେ ପଡ଼ିବ କି ମନେ

ସରୋବର ଜଳଘାଟ, ବାଟ, ପଠାବନ

ପଲ୍ଲୀର ଗୋଧନ ଚରା ଭୂମି ଆୟତନ ।

କହ କହ ସେତେବେଳେ ପଡ଼ିବ କି ମନେ

ପଲ୍ଲୀ ତୁଠ କୋକନଦ ଅବା ନୀଳକଇଁ

ପହାନ୍ତାର ମଲ୍ଲାଜହ୍ନ, କରୁଣ ଲଗନେ

ଚକ୍ରବାକ କାନ୍ଦେ ଯେବେ ତୁହାଇ ତୁହାଇ ।

କହ କହ ସେତେବେଳେ ପଡ଼ିବ କି ମନେ

ଗ୍ରାମଶେଷେ ଆମ୍ବତୋଟା, କଳବେଣୁ ଝର

ଏ ମର, ଜୀବନ ମଧୁ ଅନ୍ତିମ ଲଗନେ

ସଖା ସ୍ନେହ ସମ୍ଭାଷଣ, ବନ୍ଧୁ ସହୋଦର ।

କହ କହ ସେତେବେଳେ ପଡ଼ିବ କି ମନେ

ବିଦାୟର ବଂଶୀ ଯେବେ ବାଜିବ ଗୋ ଦିନେ ।

•••

 

ସେବାଗ୍ରାମ ଓ ଶାନ୍ତିନିକେତନ

 

ଦୁଇଟି ପ୍ରଧାନ କ୍ଷେତ୍ର, ଖ୍ୟାତ ଭାରତରେ

ଗୋଟିଏ ସେବାର ଗ୍ରାମ, ସେବା ସମ୍ଭାରରେ

ଅନ୍ୟଟି ମାନବ ପ୍ରାଣ ଚିର ନିଦର୍ଶନ

ଯଥାର୍ଥରେ ଶାନ୍ତିମୟ ଶାନ୍ତି ନିକେତନ ।

ଏକ ପୀଠେ ଜୀବନର ଅନାବିଳ ତ୍ୟାଗ

କ୍ଷଣସ୍ଥାୟୀ ଜୀବନର ପୁଣ୍ୟ ଅନୁରାଗ

ସାଧନା ସଂଯମ ଯୋଗ ତପସ୍ୟାର ଗାନ

ପୀଡ଼ିତ ଦରିଦ୍ର ସେବା ପରମ ବିଧାନ ।

ଅନ୍ୟ କ୍ଷେତ୍ର ପରା ଆସରନ୍ତି ଉପଭୋଗ

କାବ୍ୟ ସହ ଜୀବନର ସରସ ସଂଯୋଗ

ସୌନ୍ଦର୍ଯ୍ୟର ଉପାସନା ସୌନ୍ଦର୍ଯ୍ୟର ଗାନ

ରୂପରସ ଗନ୍ଧଭରା ପ୍ରକୃତି ବ୍ୟାଖ୍ୟାନ ।

ଏକ ପୀଠେ ଜୀବନର ଶିକ୍ଷା ବିତରଣ

ନିତ୍ୟ ନବ ଆଦର୍ଶର ଆକୁଳ ସନ୍ଧାନ

ସତ୍ୟ ପ୍ରୀତି ମୁକ୍ତି ପାଇଁ ଜୀବନର ଡାକ

ତ୍ୟାଗେ ଯେହ୍ନେ ହେଉଥାଏ ପ୍ରାଣ ଅଭିଷେକ ।

ଅନ୍ୟ ପୀଠେ ଯୁଗେ ଯୁଗେ ବାଣୀ ଆରାଧନା

ରସମୟୀ କବିତାର ତୁଙ୍ଗ ଉଦ୍ଦୀପନା

ସହକାର କୁଞ୍ଜପିକ ଲଳିତ କାକଳୀ

ନିର୍ଝରିଣୀ କଳ କଳ ସୁଷମା ଆବଳୀ ।

ଗୋଟିଏ କୁଟୀର କାହିଁ ଗୋଟିଏ ନିକୁଞ୍ଜ

ଗୋଟିଏ ସୁରଭି ଧାରା ଅନ୍ୟଟି ତ କୁଞ୍ଜ

ଗୋଟିଏ ମଙ୍ଗଳ ଦୀପ ଆଲୋକ ଇଙ୍ଗିତ

ଗୋଟିଏ ଚନ୍ଦ୍ରିକା ଚାରୁ ବିକାଶ ଲଳିତ ।

ପ୍ରଭାବିତ କରେ ଏକ ନିଖିଳ ଜୀବନ

ବିମୁଗ୍‌ଧ କରଇ ଆନ ହୃଦୟ ଗହନ ।

•••

 

ତୁଠ ପଥର

 

ପ୍ରଥମେ ଥିଲା ସେ କାହିଁ କେଉଁଦୂର ପାହାଡ଼ଚୂଳେ

ତା’ପରେ ତଟିନୀ ଭସାଇ ଆଣିଲା ତଟିନୀ କୂଳେ

ପ୍ରଥମେ ଥିଲା ସେ ମୂକ ପ୍ରାଣହୀନ ପାଷାଣ ବେଶେ

ଶୋଇ ରହି ଚିର ଅଚେତ ନୀରବ ପାହାଡ଼ ଦେଶେ ।

ଲୋକଲୋଚନର ଦୃଷ୍ଟି ଅଗୋଚର ଅପରିଚିତ

ତା ପାଇଁ କାହାର ହୃଦେୟେ ନ ଥିଲା ସ୍ନେହ କିଞ୍ଚିତ

ଅଜଣା ଅଶୁଣା ଥିଲା ସେ ପାଷାଣ, କଠିନ ଶିଳା

ନିଦାଘେ ତ’। ଦେହେ ଜଳଇ ପାହାଡ଼ ଅଳନ ହୁଳା ।

ବଇଶାଖ ଖରା, ଆଷାଢ଼ ଜଳଦ, ଶରତ ସୁଧା

ଆଦ୍ୟ ମାର୍ଗଶିର ଶୀତର ପ୍ରକୋପ ଫଗୁଣ ଶ୍ରଦ୍ଧା

ସବୁ ସହି ସହି ପଡ଼ିଥିଲା ସେହି ପାହାଡ଼ଚୂଳେ

ତା’ପରେ ତଟନୀ ଭସାଇ ଆଣିଲା ମୃତ୍ତିକା ତଳେ ।

ପଲ୍ଲୀବାସୀ କିଏ ଦେଖି ତାରେ ଦିନେ ତଟନୀତୀରେ

ବହିନେଲା କାହିଁ ମମତା ଆଦରେ ଶକଟ ପରେ

ସଂସ୍ଥାପନା କଲା ଗ୍ରାମ ସରୋବରେ ଘାଟେ ଯତନେ

ପାହାଡ଼ ପାଷାଣ ମାନବ ପରଶ ପାଏ ସଘନେ ।

ପାହାଡ଼ ପାଷାଣ ଥିଲା ନାହିଁ ଯା’ର ଆବଶ୍ୟକତା

ପାହାଡ଼ ପାଷାଣ କେହି କହେ ନାହିଁ ଯାହାର କଥା

ସେହି ଶିଳା ସେହି ଅକର୍ମ ଅଚେତ ଘଟଣାକ୍ରମେ

ଗ୍ରାମ ଜଳଘାଟେ ପଡ଼ିରହି ଆଜି ଚାହିଁଇ ବ୍ୟୋମେ ।

ମଥାପରେ ତାର ବର୍ଷପରେ ତାର ଗ୍ରାମ କୃଷକ

ନିଦାଘ-ପିପାସା ଆକୁଳ ପ୍ରବାସୀ ଦୂର ପଥିକ

ନୀଳ ଅନ୍ତରୀକ୍ଷ ବିହଙ୍ଗମେ ବସି କାତର ପ୍ରାଣେ

ହରନ୍ତି ପିପାସା, ସରଣୀଶରମ ହରଷ ମନେ ।

ଜଳଘାଟୁ ଜଳ କି ଆମୋଦେ ସତେ କରନ୍ତି ପାନ

କିଏ ଥୋଇ ପଦ ସେହି ଶିଳାଶିରେ କରେ ସ୍ନାନ ।

ତାର ବକ୍ଷପରେ କେତେ ଲୋକେ ଯା’ନ୍ତି ଚରଣ ଧୋଇ

ତୁଠ ପଥର ସେ ତୁଠ ଶିଉଳିରେ ଅଛଟି ଶୋଇ ।

ଜଗତେ ସେ କିବା ନୀରବ ଆହ୍ୱାନେ ନିରତ କହେ

‘‘ସେହୁ ପାଏ ପୂଜା ମୋ ସମାନ ଯେହୁ ବେଦନା ସେହେ ।’’

•••

 

ଖୁଦୀରାମ

 

କହ ଖୁଦୀରାମ କହ

ନ ଥିଲା କି ତୁମ ଜୀବନ ପାଇଁ କି ମୋହ

ନଥିଲା କି ତୁମ ଜୀବନ ମମତା ତିଳେ

ବୀରପରି ଠିଆ ହେଲ, ଫାସି କାଠ ତଳେ ।

କୋମଳ ବୟସେ କୋମଳ ଜୀବନେ ତବ

ଭରି ରହିଥିଲା ଭବିଷ୍ୟତ ବଇଭବ

ହସି ହସି ତୁମ ଦିନ ଯାଉଥିଲା ବିତି

ସଙ୍ଗ ସାଥୀମେଳେ ଗାଇ ଜୀବନର ଗୀତି

ଜାଣି ତ ନ ଥିଲ ଦୁଃଖଦାଉ ଦୁନିଆର

ସରଳ ତୁମର ବୟସ ମଧୁର ସାର

ଝରଣା ଯେସନ ବହିଯାଏ ଝରି ଝରି

ତୁମେ ସେହିପରି ଆନନ୍ଦରେ ମନ ଭରି

ଖେଳି ବୁଲୁଥିଲ ସଙ୍ଗ ସାଥୀ ମଧୁମେଳେ

ଦୂର ପୁରପଲ୍ଲୀ ବନତରୁ ଲତାମାଳେ ।

ଭାରତ ଜନନୀ ଅପମାନେ ଅସମ୍ମାନେ

ତରୁଣର ମନେ ହେଲା ଜାଗରିତ ଦିନେ

ଦେଶ ପ୍ରେମଧାରୀ, ସ୍ୱଦେଶ ସ୍ୱରାଜ୍ୟ ଭାବ

ଚିର ଅମଳିନ ସ୍ୱାଧୀନତା ଗଉରବ

ଥରି ଉଠିଥିଲା ନବୀନ ତରୁଣ ପ୍ରାଣ

ନାଚି ଉଠିଥିଲା ପୁଲକେ ଧମନୀ ପୁଣ

ହସି ହସି ସେହୁ କରତାଳି ଦେଇ ପରା

ଦେଶ ଦଶ ହିତେ ବରି ନେଇଥିଲା କାରା

ବିପ୍ଳବ ସପନେ ବିଦ୍ରୋହ ସପନେ ମଜ୍ଜି

ତରୁଣ ବାଳକ କେଶରୀ ସମାନ ଗର୍ଜ୍ଜି

ଗିରଫ ଦମନ କୋରଡ଼ା ନ ମାନି ତିଳେ,

ସତ୍ୟର ବିଜୟେ, ଠିଆ ଫାସିକାଠ ତଳେ ।

ଖୁଦୀରାମ ବୀର ଭାରତ ଜନନୀ ପାଇଁ

ସ୍ୱାଧୀନତା ଯଜ୍ଞେ ଆହୁତି ହୋଇଲା କାହିଁ !

•••

 

କମାରଶାଳ

 

ପଲ୍ଲୀ ପ୍ରକୃତିର ଗଳାହାର ସମ

ଯେଉଁଠି ବହଇ ସାପୁଆ ନାଳ,

ସେଇଠି ଅଛଇ କେତେ କାଳୁଁ ଠିଆ

ଧୋବି ମହାରଣା କମାରଶାଳ ।

କେଉଁଦିନୁ ସେହି ଶାଳ ଅଛି ରହି

ସେକଥା କାହାରି ନାହିଁ ତ ଜଣା,

ପଚାରିଲେ ତେବେ ‘ସାତ’ ପୁରୁଷର

ଏ ଶାଳ’ କହନ୍ତି ସେ ମହାରଣା ।

ଧୋବି ମହାରଣା, ଧୋବି ମହାରଣା

କେହି ପଚାରିଲେ କହନ୍ତି ପୁଣି,

ସାତ ପୁରୁଷର ଏ ସମ୍ପତ୍ତି ପରା

କେତେ ଯୁଗ କିଏ କହିବ ଗଣି ।

ଅପି ମହାରଣା ପୁଅ ପରା ଧୋବି

ତାଙ୍କରି ଏଇ ଯେ କମାରଶାଳ,

ଛାଇ କରି ତାର ଶିରେ ନିତି ନିତି

ଆମ୍ବ କନିଅର ଦୋଳାଏ ଡାଳ ।

ଯହିଁ ଠିଆ ରହି ଡେଙ୍ଗା ଡେଙ୍ଗା ଡାଳ

ତେନ୍ତୁଳି ସହିତେ ବିଛାଏ ଛାଇ

ସେଇଠି ଆମର କମାରଶାଳରେ

ଲୋକେ ଫେରୁଥାନ୍ତି ଦାଆ ପଜାଇ ।

ଶାଳ ଘରର ତ ଛଣ ନାହିଁ ଛାତେ

କେଉଁଦିନୁ ହୋଇନାହିଁ ଛପର

ପଥର ପାହାଚ ଲାଗି ପଡ଼ିଥାଇ

ବାଲି ଗଦା ଗଦା ଚୂନ ଖପର ।

ଆଉ ଏକକୋଣେ       ପଡ଼ିଥାଏ ଖାଲି

କଳା ମଚ ମଚ ଅଙ୍ଗାର ଗଦା,

ଲୁହା-ଛେଣି ଭାତି ଶାଣଦିଆ ଯନ୍ତ୍ର

ମହାରଣା ଜୀବନର ସଉଦା ।

ସେହି ଶାଳ ପିଣ୍ଡା ଆରପାଖେ ଥାଇ

କୁଢ଼ କୁଢ଼ ସେ ଯେ ଚୂନ ପାଉଁଶ,

ତହିଁ ଆମ ଗାଆଁ କାଳିଆ କୁକୁର

ରୂପେଲି ରାତିରେ ପାତଇ ହେଁସ ।

ଏହି ରକମର ଏହି ଆକାରର

ଧୋବି କମାରର କମାରଶାଳ

ନିଆଁ ମୁହେଁ ସିଝି ସିଝି ଧୋବି ବୁଢା

ଦିଏ ଯଉବନ ରକତ ଝାଳ ।

ଧୋବି ମହାରଣା ଶାଳଘର ପରା,

ପଲ୍ଲୀପୁରବାସୀ ଆଖାଡ଼ା ଘର,

ସେଇଠି ମିଳଇ ଖଣ୍ଡାୟତ ପୁଅ

ପ୍ରଧାନ ପୁଅ ସେ ଶ୍ୟାମସୁନ୍ଦର ।

ମାଗୁଣି ନାହାକ ବଳିଆର ସିଂହ

ନଟିଆ ବିଶୋଇ କ୍ଷେତରା ଜେନା,

ରାୟଗୁରୁ ଘର ପୁଅ ଲମ୍ବୋଦର

ଗାଈ ଜଗୁଆଳ ବେହାରା ବନା ।

ପଉଷ ସକାଳେ କୁହୁଡ଼ି ଧୂସର

ଗାଁ ପରବତେ ଉଠିଲେ ଚରି,

ଧୋବି ମହାରଣା କମାର ଶାଳରେ

ପଶଇ ପୁନିଆଁ ଶୀତରେ ଥରି ।

ଗଉରା ଜେନାର ପୁଅ ଗୁରୁବାରି

ଗୁଆକାତି ଧରି ଦେଖାଇ କହେ,

‘‘ହଏ, ମହାରଣା, ଥରେ ଶାଣଦେଲେ

କେତେଦିନ ଯାଏ ଦାଢ଼ ଯେ ରହେ ?

ଗଲା ମାଘ ମାସେ ଶାଣ ଦେଇଥିଲ

ଦେଖ ଦାଢ଼ ଏବେ ଯାଇଛି ମରି

ନାକ କାଟି ହେବ ନାହିଁଟି ହେ ଏବେ

ଏଥିରେ ମଣିଷ ଚଳେ କିପରି ?

ସଦେଇ ସା’ନ୍ତରା କହେ ପାଟି କରି

ହଏ ମହାରଣା ହେଲା କି କାଳ ।

ପାଞ୍ଚ ଟଙ୍କା କରି ବିକା ହୁଏ ଏବେ

ସାଉକାର ଘର କେରାଏ ପାଳ ।

ଆଉ କିଏ କହେ ଶୁଣିଥିଲେ କେବେ

ଆଠ ଅଣା କରି ପହଁରା ମୁଠା

ଶାଗ ସେର ହୁଏ ବାରଅଣା ସତେ

କି ହେବ ଥାଇ ସେ ରୂପେଇ ପଠା ।

ବନା ମହାରଣା କମାର ପୁଅ ସେ

ଲୁହା ପିଟି ତାର ଜୀବନ ସରେ

କହଇ ମରମେ ଅନୁଭବ କରି

ଲୁହା ଦର କିଏ ତୁଣ୍ଡରେ ଧରେ ?

କାହିଁଥିଲା ଏହି ଯୁଦ୍ଧ ମହାମାରୀ

କି ହେଲା ଏ କାଳ ନୁହଁଇ କହି

ରାଧୀ ଗଉଡ଼ୁଣୀ ବୁଢ଼ୀ ଏବେ ଦିଏ

ଚାରି ପଇସାରେ ସଢ଼ିଏ ଦହି ।

କମାର ଶାଳରୁ ନିଆଁ ଜଳି ଉଠେ

ଜାଳି ତରଳାଇ ପାହାଡ଼ ଲୁହା

ଧୋବି ମହାରଣା ଲୁହା ପିଟୁ ପିଟୁ

ଆରମ୍ଭ ହୁଅଇ କାହାଣୀ କୁହା ।

କିଏ କହି ବସେ ହଏ ମହାରଣା,

ଦାଆଖଣ୍ଡେ ଏବେ ପଜାଇ ଦେଇ

ନିଅ କାହିଁ ଆଠ ଅଣା, ମଣିଷକି

ଦୁନିଆାରେ ବଞ୍ଚି ରହିବ ନାହିଁ ।

ବାହୁନଇ କିଏ କେଉଁକାଳେ ଥିଲା

ଗୁଆକାତି ଶାଣ ଏଗାର ଅଣା

ଧୋବି କହେ ଗପି       ଜାଣିଛତ ଭାଇ

ମୁଠାଏ ଅଙ୍ଗାର ସତର ଅଣା ।

ଦୂର ପଲ୍ଲୀ ପୁରେ କମାର ଶାଳରେ

ଚିରଦିନ କିବା ପ୍ରଦୀପ ଜଳି

ଆଲୋକ ଦିଅଇ ମଣିଷ ଜାତିରେ

ଆମୋଦ ଅଣାଇ ସରଗ ତୋଳି ।

ସେ ଶାଳ ନିଆଁର ଶିଖାରେ କି ସତେ

ମାନବ ଜାତିରେ ମୁକତି ଥାଏ

ସେ ଶାଳ ନିଆଁର ଶିଖାରେ କି ସତେ

ଅନ୍ତର ଅନ୍ଧାର ଆଲୋକ ପାଏ ।

ପଲ୍ଲୀ ପ୍ରକୃତିର ଗଳାହାର ସମ

କଳ କଳ କରେ ସାପୁଆ ନାଳ

କେତେ କାଳୁ ସେହି ବରଗଛ ତଳେ

ଠିଆ ରହିଅଛି କମାର ଶାଳ ।

ସେହି ଶାଳଘରେ ଜଳି ଉଠୁଛି ଯେ

ଅପି ମହାରଣା ଜୀବନ ଶିଖା

ସେହି ଶାଳ ଘରେ       ମହାରଣା କରେ

ଏ ଯନ୍ତ୍ର ଯୁଗର ସଙ୍ଗେ ପରୀକ୍ଷା ।

ଶାଳ ନିଆଁ ଯେହ୍ନେ ଜାଳି ପୋଡ଼ିଦେଇ

ପାହାଡ଼ ଲୁହାର ରସାଣ ଆଣେ

କଠିନ ପାଷାଣ ଭରା ଭୂଧରର

ଲୁହାରେ ଗଢ଼ଇ ନବ ବିଧାନେ ।

ଲୁହାର କଳୁଷ ତୁଟଇ ଯେସନ

ଶାଳୁନିଆଁ କ୍ଷଣ ପରଶ ପାଇ

ତେସନ ଏ ଶାଳେ       କମାର ବୁଢ଼ାର

ଲହୁ ଲୁହେପରା ବିଦ୍ରୋହ ଥାଇ ।

ଏହି ଧୋବି ଏହି ନିରନ୍ନ ଯେତକ

ସକଳ ପୀଡ଼ିତ ନିରୀହ ପ୍ରାଣ

ସକଳ ନିଃଶ୍ୱାସ ଦେବ ଜାଳି ପୋଡ଼ି

ଦିନେ ପ୍ରବଳର ଅନ୍ୟାୟ ବାଣ ।

ଏଇ ଆମ ଗାଆଁ କମାର ଶାଳରେ

ଧୋବି ମହାରଣା ବୁଢ଼ାରେ ଶ୍ରମେ

ଦୁନିଆ ଲଭିବ ଯୁଗେ ଯୁଗେ ସୁଖ

ଛୋଟ ଛୋଟ ଯେତେ ସରଳ ଗ୍ରାମେ ।

ସତେ ଯେହୁ ଧୋବି ମହାରଣା ପୁଅ

ଗଢ଼ିଦେଲା ଆଗେ ହାତୁଡ଼ି ଦାଆ

ସେହି ମହାରଣା କମାର ଶାଳର

ପଲ୍ଲୀକୋଳେ ରହୁ ଅମର ନାଁ ।

ପଉଷ ମାସର ପାତଳ କୁହୁଡ଼ି

ମାଘ ମାସ ଜାଡ଼ ଶୀତ ରାତିରେ

ଆମ ଗାଆଁର ସେ କାଳିଆ କୁକୁର

ଶାଳ ଘରେ ଶୋଇଥାଏ ଅଙ୍ଗାରେ ।

ଦୁନିଆରେ ଯୁଗେ ଯୁଗେ ନୂଆ ନୂଆ

ଯନ୍ତ୍ରପାତି ଯେତେ ହେଉ ତିଆର

ଭୁଲି କି ହୋଇବ କମାର ଶାଳର

କମାର ବୁଢାର ଲୁହା ସମ୍ଭାର ।

•••

 

ଅଙ୍ଗନ ତୁଳସୀ

 

ସରଳ ପଲ୍ଲୀର କୋଣେ, କୁଟୀର ନିର୍ଜ୍ଜନ

ନିର୍ଜ୍ଜନ କୁଟୀରେ ପୁଣି, ନିର୍ଜ୍ଜନ ଅଙ୍ଗନ

ନୀରବ ନିଭୃତ ତାହା, ନିସ୍ତବ୍ଧ ନିରତ

ଅବସ୍ଥିତ ତାର ନାହିଁ ଜାଣେ ଏ ଜଗତ ।

କେଉଁଠି ସରଳ ଗ୍ରାମ, କେଉଁଠି କୁଟୀର

କେଉଁଠି କୁଟୀରାଙ୍ଗନ, ପ୍ରାଚୀନ ପ୍ରାଚୀର

କିଏ କାହିଁ ରଖିବଟି ହିସାବ ତାହାର

ଜଟିଳ ଜଞ୍ଜାଳ ବ୍ୟସ୍ତ ମାନବ ସଂସାର

କୁଟୀର ପ୍ରାଙ୍ଗଣେ ତେବେ, କାହିଁ କେଉଁ ଦିନୁ

ଅଛି ସେ ତୁଳସୀ ଗଛ, ନଭ ଚନ୍ଦ୍ର ଭାନୁ

ଦେଖୁଥାନ୍ତି ନିକାଞ୍ଚନ କୁଟୀର ଅଙ୍ଗନେ

ବଢ଼ଇ ତୁଳସୀ ଗଛ ପ୍ରକୃତି ଗହଣେ ।

ଭଗ୍ନ ପରିତ୍ୟକ୍ତ ସେହି କୁଟୀର ପ୍ରାଚୀନ

ନାହିଁ ନାହିଁ ମାନବର ସତ୍ତା ନିଦର୍ଶନ

ପଦ କାର ପଡ଼େନାହିଁ ସେ ଜୀର୍ଣ୍ଣ ପ୍ରାଙ୍ଗଣେ

ବଢ଼ଇ ତୁଳସୀ ଗଛ ପ୍ରକୃତି ଗହଣେ

ତପୋବନ ପୁଣ୍ୟ ଛାୟା, ଅସ୍ପଷ୍ଟ ସଙ୍କେତ

ପ୍ରକୃତିର ମୁକ୍ତଶୋଭା ତହିଁ ବିକଶିତ

ମାନବର କର ସ୍ପର୍ଶ ବାଜିନାହିଁ ତହିଁ

ପ୍ରାଙ୍ଗଣେ ତୁଳସୀ ବୃକ୍ଷ ନିତ୍ୟ ବଢ଼ୁଥାଇ ।

ସହସ୍ର ପତନ୍ତ୍ରୀ ପରା ବସି ସେ ପ୍ରାଙ୍ଗଣେ

ଉଡ଼ିଯାନ୍ତି ନୀଳାକାଶେ ଯେବେ ପରକ୍ଷଣେ

କେବେ ଅବା ପଶି ତହିଁ ପଲ୍ଲୀର ଗୋଧନ

ସଦ୍ୟ ଅଙ୍କୁରିତ ଦୁର୍ବା କରନ୍ତି ଭକ୍ଷଣ !

ନିଷ୍ଠାପର ଉପାସକ ନ ଯାଆନ୍ତି ତହିଁ

ବିଷ୍ଣୁ ଭକ୍ତ, ମାଳାକାର, ଫୁଲ ବ୍ୟବସାୟୀ,

ନିର୍ଜ୍ଜନ ପ୍ରାଙ୍ଗଣେ ସେହୁ ପବିତ୍ର ତୁଳସୀ

ତା ପାଇଁ କେ ବହିନାହିଁ ସଲିଳ କଳସୀ

ପ୍ରକୃତି ଗହଣେ ସେହୁ ବଢ଼େ ଅବିରତ

ପ୍ରକୃତି ସୁରମ୍ୟ କୋଳେ ସଦା ଉଲ୍ଲସିତ

ପ୍ରକୃତ ସମ୍ପଦେ ସେହୁ ବିମୁଗ୍ଧ ବିଭୋର

ନିର୍ଜ୍ଜନତା ଯେହ୍ନେ ତାର ବନ୍ଧନର ଡୋର

ଅନାବିଳ ଶୁଦ୍ଧପୂତ ସେ ତୁଳସୀ ପରା

ସ୍ନେହ ତାରେ ଦେଇଥାନ୍ତି ଅନ୍ତରୀକ୍ଷ ଧରା

ବଢ଼ି ନାହିଁ ସେହୁ ସତ ତପସ୍ୱୀ ଆଶ୍ରମେ

କଳୁଷ ତା ଦେହେ ମାତ୍ର ନାହିଁ ଏ ଜନମେ

ସମ୍ମାନ ସେ ପାଇଁ ନାହିଁ ବସି ଦେବ ଶିରେ

ଅଧିଷ୍ଠିତ ହୋଇନାହିଁ ପୂଜା ସମ୍ଭାରରେ

ସ୍ଥାନ ସେହୁ ନାହିଁ ପାଏ କୁସୁମ ଗହଣେ

ଦେବାଳୟ ସିଂହାସନ ମଞ୍ଜୁଳ ତୋରଣେ

ତଥାପି ପବିତ୍ର ଶୁଦ୍ଧ ଅଙ୍ଗନ ତୁଳସୀ

ତା ତନୁ ଛୁଇଁନି ଯେଣୁ କୁତ୍ରିମତା-ମସୀ

ନିସର୍ଗ ପ୍ରକୃତି କୋଳେ ବଢି ନିର୍ଜ୍ଜନରେ

ପ୍ରଭୃତ ଅର୍ଚ୍ଚନା ପାଏ ସାଧୁ ସଜ୍ଜନରେ

ନଥାଉ ତାହାର ପଛେ ଗନ୍ଧ କ୍ଷଣସ୍ଥାୟୀ

ପ୍ରଶଂସା ନ ଦେଉ ତାରେ କବି ରୂପପାୟୀ

ଦେହ ସୌନ୍ଦର୍ଯ୍ୟ ବିହୀନ, କିନ୍ତୁ ତା ଅନ୍ତର

ଚିରଦିନ ଅମଳିନ ପବିତ୍ର ସୁନ୍ଦର ।

ଯୁକ୍ତିର ଜଗତ କରୁ ତା ପ୍ରତି ଆକ୍ଷେପ

ସରଳ ତୁଳସୀ କେବେ ନ କରେ ଭୂକ୍ଷେପ ।

•••

 

ଚିଲିକା ପୁଳିନେ ଗୋଟିଏ ରାତି

 

ପ୍ରବାସର ପଥେ ଯାଉଁ ଯାଉଁ ଥରେ

ଉପଗତ ହେଲି ରଜନୀ ଭୟେ

ଅପରିଚିତର ସରଳ କୁଟୀରେ

ଅତିଥି ମମତା ସ୍ନେହ ଆଶୟେ ।

ଚିଲିକା ପୁଳିନେ କୁଟୀର ତାଙ୍କର

ଚଲିକା ଧୁଅଇ କୁଟୀର ପାଦ

ଗୋଲାପୀ ଉଷାର କନକ ଆଭାରେ

ଲହରୀ ଶୁଣାଏ ସ୍ୱର ଶବଦ ।

ଆଜି ଏ ଯେ ମୁହିଁ ବିଶ୍ରାମ ରହିଲି

ଲହରୀ ଚପଳ ଭୂମି ବିତାନେ

ସମ୍ମୁଖେ ମରାଳ ମାଳିନୀ ଚିଲିକା

ନୀଳ ଜଳ ନାଚେ ସମୀର ତାନେ ।

ସଞ୍ଜ ହେମଛାଇ ଜଳଧାରେ ମିଶି

ଲିଭି ଲିଭି ଶେଷେ ବିଲୀନ କାହିଁ

ମୁଁ ଆଜି ଉଦାସେ ଅନ୍ତରୀକ୍ଷ ତଳେ

ଚିଲିକା ଦର୍ପଣେ ରହଇ ଚାହିଁ ।

ପରଦା ସଦୃଶ ରାତିର ତିମିର

ବିଛାଇ ଦିଅଇ କାହାର ହାତ

ବିପୁଳ ଚିଲିକା ହ୍ରଦ ଚଉଦିଗ

ଜଣାଯାଏ ଆଜି ନୀରବ ଶାନ୍ତ ।

କି ଉଦାର ଛବି ମଧୁର ନିମିଷ

କି ଉଦାର ଆଶା ପିପାସା ପୁଣ

ଏସ୍ଥାନେ ଯେସନେ ଜାଗରିତ ହୁଏ

ନିଭୃତି ଅନ୍ତର ସାତ୍ତ୍ୱିକ ଗୁଣ ।

ଏ ହ୍ରଦ ସିକତା ଅନନ୍ତ ପ୍ରସାଦେ

ଆଖି ଫେଇ ପରା ପଥିକ ଭାବେ

ଏ ସରସ ସୃଷ୍ଟି ରୂପ ରଙ୍ଗମଞ୍ଚେ

ଦୈନ୍ୟ ଦୁଃଖ କାହୁଁ ଆସଇ ଭବେ

ଅର୍ଥ ଆଡ଼ମ୍ବର ପ୍ରୟାସୀ ଜଗତ

ଜଞ୍ଜାଳ ଅଧୀର ବୁଝିବ କାହୁଁ

ଏ ହ୍ରଦ ଲହରେ ମୁଦିର ପ୍ରହରେ

ଯେଉଁ ତୃପ୍ତି ମିଳେ ତରଣୀ ବାହୁଁ ।

ହେ ଅନନ୍ତ ନୀଳ ପ୍ରଶାନ୍ତ ଧବଳ

ଚିଲିକା ସୁନୀଳ ତରଙ୍ଗବେଣୀ

ଆଜି ଏ ଅପାର ଚନ୍ଦ୍ରିକା ହିଲ୍ଳୋଳେ

ତୁମେ ତପୋରତା କି ସନ୍ନ୍ୟାସିନୀ ?

ଭିନ୍ନ ଭିନ୍ନ ରୂପେ ପ୍ରତିଭାତ ହୁଅ

ବ୍ୟଥିତ ଏ ମର ଜୀବନ ଆଗେ

ତୁମ ଦରଶନେ ସଂସାରୀର ମନେ

କବି ଚିତ୍ତେ ଏକ ଭାବନା ଜାଗେ ।

ଇଚ୍ଛାହୁଏ ମୁହିଁ ବ୍ୟଥିତ ପ୍ରାଣର

କେବଳ ଯୁଗଳ ଲୋତକ କଣା

ମିଶାଇ ତୋ ନୀଳ       ଲହରୀ ସମ୍ପଦେ

ବଜାନ୍ତି ନିରତ ବେଦନା ବୀଣା ।

ନୁହେଁ କି ପ୍ରମାଣ ବିଧିର ଭିଆଣ

ମାନବ ଜୀବନ ସୌନ୍ଦର୍ଯ୍ୟସହ

ମିଶିବାକୁ ଚାହେଁ ଗୀତି ତାର ଗାଏ,

ସତ୍ୟଶିବ ପାଇଁ ଅଗାଧ ସ୍ନେହ

ଆଜି ଏ ତିମିର ରଜନୀ ଗଭୀର

କଳ ବେଣୁ ଶୁଭେ ଚିଲିକା କୂଳେ

ଦୂର ବ୍ୟୋମପଥେ କା’ଇଙ୍ଗିତେ ସତେ,

କୋଟି କୋଟି ତାର ପ୍ରଦୀପ ଜଳେ ।

ଚଉଦିଗେ ପରା ନୀରବତା ଶୋଭେ

ଅସୀମତା ମଧ୍ୟେ ଚିଲିକା ଲୀଳା ।

ଚିଲିକା ଗୌରବେ ହସେ ବସୁମତୀ

ବିପିନ ପ୍ରାନ୍ତର ପାହାଡ଼ ଶିଳା

ମୁଁ ଛାର ପରାଣୀ ବସି ଏକୁଟୀରେ

ଚାହିଁ ଏକ ଚିତ୍ତେ ଚିଲିକାତୀରେ

ସୌନ୍ଦର୍ଯ୍ୟର ସ୍ତରୁଁ ପ୍ରଣତି ଜଣାଏ

ବିଭୁପଦେ, ଦ୍ରବେ ହୃଦୟ ବାରେ ।

ଚଲିକା ଯେସନ ସୁଷମା, ସୁନ୍ଦର

ତେସନ ମଣିଷ ଜୀବନ ଥରେ

ନ ହେବ କାହିଁକି ସୁନ୍ଦର ସରଳ

ଚିର ମନୋରମ ଧରଣୀ ତଳେ ।

•••

 

ଶେଷ ଭିକ୍ଷା

 

ବିଶାଳ ଧରିତ୍ରୀ ହେଉ ଉଜ୍ଜ୍ୱଳ ସୁନ୍ଦର

ଅନନ୍ତ ଅମ୍ବୁଦେ ଶୋଭୁ ସ୍ରଷ୍ଟାର ହୁନ୍ଦର

ବସୁଧା ସମୃଦ୍ଧି ଘଟୁ ଯୁଗ ଯୁଗାନ୍ତରେ

ସୃଷ୍ଟି ସୁଖୀ ହେଉ ପ୍ରଭୁ ତବ ବିଧାନରେ

ଉଜ୍ଜ୍ୱଳ ହେଉ ମୋ ଦେଶ, ମାତୃଭୂମି ମୋର

କୁଟୀରେ କୁଟୀରେଐକ୍ୟ ବନ୍ଧନର ଡୋର

ସଂଖ୍ୟାହୀନ ଗ୍ରହ ଉପଗ୍ରହ ଧରିତ୍ରୀରେ

ମଣିଷ ଶାଶ୍ୱତ ହେଉ ଆତ୍ମ-ବିକାଶରେ

ନର ନାରୀ ସୁଖେ ପ୍ରଭୃ ରହନ୍ତୁ ନିରତ

ସତ୍ୟର ବିଜୟ ହେଉ, ବିନଷ୍ଟ ଅସତ୍ୟ

ହେ ପ୍ରଭୃ ତୁମର ପଦେ ବିଶ୍ୱବାସୀ ପାଇଁ

ଏତିକି ପ୍ରାର୍ଥନା କରି ନିତି ଡାକୁଥାଇ ।

Image